ଯୁକ୍ତ ୩ ନାମଲେଖା ଗାଇଡଲାଇନରେ ପରିବର୍ତ୍ତନ

ଭୁବନେଶ୍ବର: ଗତ ୧୨ ତାରିଖରୁ ଆରମ୍ଭ ହୋଇଛି ଯୁକ୍ତ ତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା । ଏହି ଆବେଦନ ପ୍ରକ୍ରିୟା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏଥିରେ କେଉଁମାନେ ଆବେଦନ କରିପାରିବେ ଓ କେଉଁମାନେ କରିପାରିବେ ନାହିଁ ସେ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ନାମଲେଖାଇ ସାରିଛନ୍ତି, ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଥିଲା। ତେବେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଥିରେ ପରିବତ୍ତର୍ନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ସାରିଛନ୍ତି, ସେମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ୧ ହଜାର ୫୬ଟି ଡିଗ୍ରୀ କଲେଜରେ ଯୁକ୍ତ ତିନି ନାମଲେଖା ପାଇଁ ମୋଟ ୨ ଲକ୍ଷ ୭୪ ହଜାର ୧୫୧ଟି ସିଟ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୭ ହଜାର ୬୭୩ ଜଣ ନାମ ଲେଖାଇଥିବା ବେଳେ, ଆଉ ୯୬ ହଜାର ୪୭୮ଟି ସିଟ୍ ଖାଲି ପଡ଼ିଛି । ସିଟ୍ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରୀଛାତ୍ରମାନେ ୩ ତାରିଖ ସକାଳ ୧୦ଟାରୁ ୬ ତାରିଖ ସଂଧ୍ୟା ୫ଟା ଭିତରେ ନାମ ଲେଖାଇବେ । ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ ନେଇ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ।