ଭାରତର ଧୈର୍ଯ୍ୟର ପରୀକ୍ଷା ନେଉଛି ବାଂଲାଦେଶ, ସୀମାରେ ବାଡ଼ ଲଗାଇବା କାମକୁ ରୋକିଲା ବିଜିବି

1 min read

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ତାଜୁବ ଭାରତ । ଦିନକୁ ଦିନ ବାଂଲାଦେଶ- ଭାରତ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ କରିବା ପରଠାରୁ ବାଂଲାଦେଶ-ଭାରତ ସୀମାରେ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହେଉଛି । ବର୍ତ୍ତମାନ ଭାରତ-ବାଂଲାଦେଶ ସୀମା ନିକଟରେ ଚାଲିଥିବା କ୍ୟାଟେଲ ଫେସିଂ କାମକୁ ବନ୍ଦ କରିଦେଇଛି ବିଜିବି ବା ବର୍ଡର ଗାର୍ଡ ବାଂଲାଦେଶ । ବହୁବର୍ଷ ପୂର୍ବରୁ ଉଭୟ ଦେଶର କ୍ୟାଟେଲ ପରସ୍ପରର ଦେଶରେ ଅନୁପ୍ରବେଶ ନକରିବା ପାଇଁ ଏହି ବାଡକୁ ନିର୍ମାଣ କରାଯାଇଥିଲା । ହେଲେ ଏଭଳି ପରିସ୍ଥିତିରେ ହଠାତ ବାଂଲାଦେଶ ସେନା କର୍ମଚାରୀଙ୍କ ନିକଟକୁ ଆସି କାମ ବନ୍ଦ କରିବା କହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏବଂ ଏହି ପରିସ୍ଥିତି ପାଇଁ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହେବାର ମୁଖ୍ୟ କାରଣ ପାଲଟିଛି ।

ସୂଚନା ଅନୁଯାୟୀ ଏହି ବାଡ ସୀମାରେ ନୁହେଁ ବରଂ ସୀମା ନିକଟରେ ନିର୍ମାଣ କରାଯାଉଥିଲା । ହିନ୍ଦୁସ୍ତାନ ଟାଇମ୍ସକୁ ବିଏସଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ୨୦୧୨ରେ ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତି ଅନୁଯାୟୀ କ୍ୟାଟେଲ ଫେସିଂ ନିର୍ମାଣ କରାଯାଉଥିଲା । ହେଲେ ନିର୍ମାଣ ସମୟରେ ବିଜିବି କର୍ମଚାରୀ ସେଠାରେ ପହଞ୍ଚି ଆପତ୍ତି ଉଠାଇଛନ୍ତି । ଯେହେତୁ ସୀମାରେ କୌଣସି ଏକ ବାଡ ନଥିଲା ସେଥିପାଇଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପ୍ରବେଶ ନକରିବା ପାଇଁ ଏହି ବାଡର ନିର୍ମାଣ କରାଯାଉଥିଲା । କାରଣ ବାଡ ନଥିବାର କାରଣରୁ ସବୁବେଳେ ଉଭୟ ପାର୍ଶବରେ ଥିବା ଗ୍ରାମବାସୀଙ୍କ ମଧ୍ୟରେ ବିବାହ ଲାଗିରହିଥାଏ । ବିଜିବି ଏବଂ ବିଏସଏଫ ବାଟାଲିୟନର କମାଣ୍ଡାରମାନେ ଏହି ସମସ୍ୟାର ସମାଧାନ ପାଇଁ ସୀମାରେ ଏକ ବୈଠକ କରିଥିଲେ କିନ୍ତୁ କୌଣସି ସମାଧାନ ହୋଇପାରିଲା ନାହିଁ ଏବଂ ଏହି ଖବର ମିଳିବା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ଥଗିତ ରହିଛି।

ଅଧିକାରୀଙ୍କ କହିବାନୁସାରେ ଏହି ମାମଲା ଅକ୍ଟୋବର ପ୍ରଥମ ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ଦୁଇ ସେନାଙ୍କ ମହାନିର୍ଦ୍ଦେଶକ ବୈଠକରେ ଉପସ୍ଥାପିତ କରାଯିବ । ସୀମାରେ ଉଭୟପଟୁ କୌଣସି ହିଂସା ନଥିଲେ ମଧ୍ୟ ଏହି ପ୍ରସଙ୍ଗ ଉତ୍ତେଜନା ସୃଷ୍ଟି କରିପାରେ । ଦୁଇ ଦେଶର ସୁରକ୍ଷା ପାଇଁ ପ୍ରତେ୍ୟକ ବର୍ଷ ଦୁଇଥର ଲେଖାଁଏ ପ୍ରମୁଖ ଅଧିକାରୀ ବୈଠକ କରିଥାଆନ୍ତି । ଚଳିତ ବର୍ଷ ମାର୍ଚ୍ଚ ୫ରେ ବାଂଲାଦେଶରେ ଏହି ବୈଠକ କରାଯାଇଥିଲା ।

ଗତସପ୍ତାହରେ ମଧ୍ୟ ବାଂଲାଦେଶ ସେନା ଭୁଲରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବାଂଲାଦେଶକ ପ୍ରବେଶ କରିଥିବା ୫ ଭାରତୀୟ ନାଗରିକଙ୍କୁ ଫେରାଇବାକୁ ମନାକରିଦେଇଥିଲା । ବହୁଥର ଫ୍ଲାଗମାର୍ଚ୍ଚ ସତ୍ତ୍ବେ ମଧ୍ୟ ବିଜିବି ଭାରତୀୟ ନାଗରିକଙ୍କୁ ଫେରାଇବାକୁ ମନାକରିଦେଇଛି ।