ତ୍ରିପୁରାରେ ବର୍ଷା ବିପ୍ତାତ । ୨୨ ମୃତ, ୧୭ ଲକ୍ଷ ଲୋକ ପ୍ରଭାବିତ !

1 min read

ନନ୍ଦିଘୋଷ ବ୍ୟୁରୋ : ତ୍ରିପୁରାରେ ପ୍ରବଳ ବର୍ଷା ହେତୁ ଅତିକମରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ହୋଇଯାଇଛନ୍ତି । ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ଘର ନଷ୍ଟ ହୋଇଯାଇଥିବାରୁ ରାଜ୍ୟର ୪୫୦ ରିଲିଫ କ୍ୟାମ୍ପରେ ୬୫,୪୦୦ ଲୋକ ଆଶ୍ରୟ ନେଇଛନ୍ତି।

ଅଶ୍ୱାନୀ ତ୍ରିପୁରା ପାରା ଏବଂ ସାନ୍ତୀରବାଜରର ଦେବିପୁରରେ ଭୂସ୍ଖଳନ ଜନିତ ୧୦ ଜଣଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମାଣିକ ସାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ପୋଷ୍ଟ କରିଛନ୍ତି । ଏହା ସହ ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।  ଅନ୍ୟପଟେ ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଏହାପୂର୍ବରୁ ରାଜସ୍ୱ ବିଭାଗର ସଚିବ ବ୍ରିଜେଶ ପାଣ୍ଡେ କହିଥିଲେ, ରାଜ୍ୟରେ ପ୍ରବଳ ବର୍ଷା ପରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଦୁଇ ଜଣ ନିଖୋଜ ଅଛନ୍ତି | ପ୍ରାଥମିକ ରିପୋର୍ଟରେ ଫସଲ, ଘର  ନଷ୍ଟ ହୋଇଥିବା ଦର୍ଶାଯାଇଛି ।

ରାଜ୍ୟରେ ପ୍ରାୟ ୧୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି

ଜଣେ ଅଧିକାରୀ କହିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟରେ ପ୍ରାୟ ୧୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରିଜେଶ ପାଣ୍ଡେ କହିଛନ୍ତି ଯେ ୨,୦୩୨ ସ୍ଥାନରେ ଭୂସ୍ଖଳନ ଘଟିଥିବା ବେଳେ ସେଥିମଧ୍ୟରୁ ୧,୭୮୯ ଟି ସ୍ଥାନ ସଫା ହୋଇଥିବାବେଳେ ଅନ୍ୟ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ଗୋମତି ଏବଂ ଦକ୍ଷିଣ ତ୍ରିପୁରା ଜିଲ୍ଲାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ଦୁଇଟି ହେଲିକପ୍ଟର ଯୋଗାଇ ଦେଇଛି ବୋଲି ସେ କହିଛନ୍ତି। ସାରା ରାଜ୍ୟରୁ ୭୫୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ଆସାମ ରାଇଫଲ୍ସ ସୂଚନା ଦେଇଛି ।