ଚିକିଟି ମଦମୃତ୍ୟୁ ଘଟଣା: ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଗଞ୍ଜାମ: ଗଞ୍ଜାମ ମଦମୃତ୍ଯୁ ଘଟଣାରେ ଆଜି ଚିକିଟି ଗ୍ରାଉଣ୍ଡ ଜିରୋକୁ ଯାଇ ତଦନ୍ତ କରିଛନ୍ତି ବିଜେଡିର ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍ । ବିଜେଡି ନେତା ନିରଞ୍ଜନ ପୂଜାରୀଙ୍କ ନେତୃତ୍ବରେ ୪ ଜଣିଆ ଟିମ ଜେନାପୁର ଗାଁରେ ପହଞ୍ଚି ମୃତକଙ୍କ ପରିବାର ଓ ଅସୁସ୍ଥ ଲୋକଙ୍କ ପରିବାର ଭେଟି ଆଲୋଚନା କରିଛନ୍ତି । ଏହାପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ପହଞ୍ଚି ଅସୁସ୍ଥଙ୍କୁ ଭେଟିବା ସହ ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଛନ୍ତି ।

ଗଞ୍ଜାମ ମଦମୃତ୍ଯୁ ପାଇଁ କିଏ ଦାୟୀ ? ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା ବିଜେଡି ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍ । ମୃତକଙ୍କ ପରିବାର ଓ ଅସୁସ୍ଥଙ୍କ ସମ୍ପର୍କୀୟଙ୍କ ସହ କଲେ ଆଲୋଚନା । ବିରୋଧୀଦଳ ନେତା ନବୀନ ପଟ୍ଟନାୟଙ୍କ ନିର୍ଦ୍ଦେଶରେ ବିଜେଡି ନେତା ନିରଞ୍ଜନ ପୂଜାରୀଙ୍କ ନେତୃତ୍ବରେ ଏହି ଟିମ୍ ଚିକିଟ ଜେନାପୁରରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ମୃତକ ଲୋକନାଥ ବେହେରା ଓ ଜୁର ବେହେରାଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । କେଉଁ ପରିସ୍ଥିତିରେ ଏପରି ଏକ ଦୁଃଖଦ ଘଟଣା ଘଟିଲା ଓ ଏଥିପାଇଁ ଦାୟୀ କିଏ ସେନେଇ ତଦନ୍ତ କରିଛି ଟିମ୍ । ଜେନାପୁରରେ ସ୍ଥିତି ଅନୁଧ୍ଯାନ କରିବା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ପହଞ୍ଚି ଅସୁସ୍ଥମାନଙ୍କୁ ଭେଟିଛି ଟିମ୍ । ଅସୁସ୍ଥଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ବ୍ରହ୍ମପୁର ଅବକାରୀ ଅଧୀକ୍ଷକଙ୍କ ନିଲମ୍ବନ ଓ ଦୁଇ ଅବକାରୀ ଅଧିକାରୀଙ୍କ ବଦଳି ପ୍ରମାଣିତ କରୁଛି ଯେ, ଜିଲ୍ଲାରେ ଅବକାରୀ ବିଭାଗ ଚୋରା ମଦ କାରବାରରେ ଅଙ୍କୁଶ ଲଗାଇବାରେ ଫେଲ ମାରିଛି ।

ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବ । ପରେ ପରବର୍ତ୍ତୀ କାର୍ଯ୍ଯପନ୍ଥା ଗ୍ରହଣ କରାଯିବ ବୋଲି କହିଛି ବିଜେଡି । ଉଭୟ ମୃତକ ଦୁଇ ପରିବାରକୁ ଚିକିଟି ବିଧାୟକ ପ୍ରାର୍ଥୀ ଶ୍ରୀରୁପ ଦେବ ଓ ପୂର୍ବତନ ମନ୍ତ୍ରୀ ଉଷାଦେବୀ ଏକ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଚିକିଟି ବିଜେପି ବିଧାୟକ ମୃତକଙ୍କ ଗାଁ ମାଡି ନଥିବା କହିଛନ୍ତି ବିଜେଡି ନେତା । ସେପଟେ ଏମକେସିଜିରେ ପହଞ୍ଚି ଆକ୍ରାନ୍ତଙ୍କ ଭେଟିବା ସହ ଚିକିତ୍ସା ବ୍ଯବସ୍ଥାର ଅନୁଧ୍ଯାନ କରିଛନ୍ତି ଅବକାରୀ ମନ୍ତ୍ରୀ ।

ଚିକିଟି ମଦମୃତ୍ଯୁକୁ ନେଇ ହରଡଘଣାରେ ପଡିଛନ୍ତି ସରକାର । ରାଜ୍ଯରୁ ମଦ ବନ୍ଦ କରିବାକୁ ନାରା ଦେଉଥିବା ସରକାର ଚୋରା ମଦ କାରବାରକୁ ଚେକ୍ ଦେଇପାରିଲେନାହିଁ । ଏହାକୁ ନେଇ ସବୁ ଆଡୁ ସମାଲୋଚନାର ଶିକାର ହେଉଛନ୍ତି ସରକାର ।