ଚିକିଟି ମଦମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ସରକାରଙ୍କ ଅପଚେଷ୍ଟା, ବିଜେଡିର ହଲ୍ଲାବୋଲ୍

ଭୁବନେଶ୍ବର: ବିଷାକ୍ତ ମଦ ମୃତ୍ୟୁ ମାମଲାକୁ ନେଇ ଅଚଳ ଓଡ଼ିଶା ବିଧାନସଭା । ମଦମୃତ୍ୟୁ ପରି ସମ୍ବେଦନଶୀଳ ଘଟଣାକୁ ଚପାଇ ଦେବାକୁ ସରକାରଙ୍କ ଅପଚେଷ୍ଟାକୁ ନେଇ ବିଜେଡିର ହଲ୍ଲାବୋଲ୍ ।  ବିଷାକ୍ତ ମଦ ପିଇ ୨ ଜଣଙ୍କର ମୃତ୍ୟୁ ହେବା ପରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡିର ଦାବି । ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରି ସରକାରକୁ ଦଳ କରିଛନ୍ତି ସମାଲୋଚନା । ଅନ୍ୟପଟେ ଇଡି କେନ୍ଦ୍ର ସରକାରଙ୍କ ଗୁଣ୍ଡା ସାଜିଥିବା ଅଭିଯୋଗ ଆଣି ଗୃହରେ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ । ଯାହାକୁ ନେଇ ଅଚଳ ହୋଇଛି ବିଧାନସଭା ।

ମଦମୃତ୍ୟୁ ତାତିରେ ବିଧାନସଭା ହୁଲସ୍ତୁଲ । କୁଆଡେ ଗଲା ବିଜେପିର ନିଶାମୁକ୍ତ ନାରା । ଜୋର ଧରିଲା ଅବକାରୀଙ୍କ ମନ୍ତ୍ରୀଙ୍କ ଇସ୍ତଫା ଦାବି । ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକଙ୍କ ପ୍ରତିବାଦ । ଅଭିଯୋଗ ହେଉଛି ଚୋରା ବେପାରୀଙ୍କ ସହ ରହିଛି ବିଜେପିର ଲିଙ୍କ୍ । ମନ୍ତ୍ରୀ କହିଲେ, କରାଯିବ ଆରଡିସି ତଦନ୍ତ ।

ଚିକିଟିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ହେବା ପରେ ତେଜିଲା ରାଜନୀତି । ଦୁଇ ଦିନ ହେଲା ମଦମୃତ୍ୟୁକୁ ନେଇ ଗୃହ କମ୍ପୁଥିବା ବେଳେ ଗୁରୁବାର ବି ବିଧାନସଭାରେ ତାତିଲେ ବିରୋଧୀ । ମଦ ମୃତ୍ୟୁ ପରି ସମ୍ବେଦନଶୀଳ ପ୍ରସଙ୍ଗକୁ ଉଠାଇ ଗୃହରେ ଗର୍ଜିଛି ବିଜେଡି । ବିଷାକ୍ତ ମଦ ଯୋଗୁଁ ୨ ଜଣଙ୍କର ଜୀବନ ଯାଇଛି, ୨୩ରୁ ଅଧିକ ଚିକିତ୍ସାଧୀନ ଅଛନ୍ତି । ହେଲେ ଏଭଳି ଏକ ଘଟଣାକୁ ବିଜେପି ସରକାର କାହିଁକି ଚପାଇ ଦେବାକୁ ଚେଷ୍ଟା କରୁଛଇ ବୋଲି ପ୍ରଶ୍ନ କରିଛି ବିଜେଡି । ଏହାକୁ ନେଇ ବିଧାନସଭାରେ ଶାସକ ଦଳକୁ ଘେରିଛି ବିଜେଡି । ତୁରନ୍ତ ବିଭାଗୀୟ ମନ୍ତ୍ରୀ ଇସ୍ତଫା ଦେବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛି ଦଳ ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି ଯେ, ନିଶାମୁକ୍ତ ଓଡ଼ିଶା ଗଠନର ନାରା ଦେଇ ସରକାର ବିଷାକ୍ତ ମଦ କାରବାରକୁ ପ୍ରୋତ୍ସାହନ ଦେଇଛନ୍ତି । ଦେଶୀ ମଦ ବ୍ୟବସାୟୀଙ୍କ ସହ ବିଜେପି ନେତାଙ୍କ ଲିଙ୍କ ଥିବା ନେଇ ଅଭିଯୋଗ କରିଛି ବିଜେଡି । ତେଣୁ ସରକାର ଏଭଳି ଏକ ସ୍ପର୍ଶକାତର ଘଟଣାକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ବିରୋଧୀଙ୍କ ଦାବିକୁ ଅମୂଳକ କହିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ।

ମଦମୃତ୍ୟୁକୁ ନେଇ ବିଧାନସଭାରେ ଅଚଳାବସ୍ଥା ଜାରି ରହିବା ପରେ ଅବକାରୀ ବିଭାଗର ନିଦ ଭାଙ୍ଗିଛି । ଗୃହରେ ତୁମ୍ବି ତୋଫାନ ପରେ ମୁହଁ ଖୋଲିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଷାକ୍ତ ମଦମୃତ୍ୟୁ ମାମଲାରେ ହେବ ଆରଡିସି ତଦନ୍ତ । ଦୁଇ ମାସ ଭିତରେ ଆସିବ ତଦନ୍ତ ରିପୋର୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ ଭାଟି ଉପରେ ଚଢ଼ାଉ ଜାରିଥିବା ବେଳେ ୧୧୭ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ମନ୍ତ୍ରୀ । କଂଗ୍ରେସ ବି ଏ ପ୍ରସଙ୍ଗରେ ସିଧାସଳଖ ଶାସକ ବିଜେପି ଉପରେ ବର୍ଷିଛି । ସରକାରଙ୍କ ଜାଣତରେ ଦେଶୀ ମଦ ଚୋରା କାରବାର ଚାଲିଛି ବୋଲି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି ।

ବିଜେଡିର ମଦ ମୃତ୍ୟୁ ଘଟଣାକୁ ନେଇ ହଲ୍ଲାବୋଲ ସହ କଂଗ୍ରେସ ବି ଇଡି ଓ ସିବିଆଇର ଅପବ୍ୟବହାର ପ୍ରସଙ୍ଗରେ ସରକାରଙ୍କୁ ଶାଣିତ ଆକ୍ରମଣ କରିଛି । ଗୃହ ମଧ୍ୟଭାଗରେ ବିଜେପି ସରକାର ବିରୋଧରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । କେନ୍ଦ୍ର ସରକାର ନୀତି ପରିବର୍ତ୍ତନ ନକଲେ, କଂଗ୍ରେସ ଏହା ବିରୋଧରେ ପ୍ରତିବାଦ ଜାରି ରଖିବ ବୋଲି ଦଳ ଦେଇଛି ଚେତାବନୀ ।

ମଦମୃତ୍ୟୁ ପ୍ରସଙ୍ଗରେ ଆଜି ପୂର୍ବାହ୍ନ ଅଧିବେଶନ ଧୋଇ ହୋଇଯାଇଥିବା ବେଳେ ଅପରାହ୍ନ ଅଧିବେଶନରେ ବି ତାତିଥିଲେ ବିରୋଧୀ । ପୂର୍ବରୁ ମଦମୃତ୍ୟୁ ପାଇଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି ଅବକାରୀ ମନ୍ତ୍ରୀ । ଏବେ ଡବଲ ଇଞ୍ଜିନ ସରକାର ନିଜ ନୈତିକତାର ପ୍ରମାଣ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି ।