ନକ୍ସଲ ମୁକାବିଲା ପାଇଁ ଓଡ଼ିଶାର ଚୂଡାନ୍ତ ରଣନୀତି

ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ରାୟପୁରରେ ହେବାକୁ ଯାଉଛି ମାଓବାଦୀ ମୁକାବିଲା ରଣନୀତି ବୈଠକ । ଏଥିପାଇଁ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୋଲିସ ଡିଜି, ଗୃହ ବିଭାଗ ସଚିବ, ଏଡିଜି ଅପରେସନ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଓଡ଼ିଶା ନକ୍ସଲ ମୁକାବିଲାରେ ବିଶେଷ ସଫଳତା ଲାଭ କରି ଦେଶ ପାଇଁ ଉଦାହରଣ ସାଜିଛି । ସ୍ୱାଭିମାନ ଅଞ୍ଚଳ ମାଓବାଦୀ ମୁକ୍ତ ହେବା ପରେ ଓଡିଶାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଉଛି । ଓଡ଼ିଶାରେ ଏବେ ୭ଟି ନକ୍ସଲ ଅଧ୍ୟୁଷିତ ଜିଲ୍ଲା ରହିଛି । ସେଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ ରାୟଗଡା । ୨୦୧୩ରେ ୧୦ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ଅଧ୍ୟୁଷିତ ଥିବା ବେଳେ ୨୦୨୩ ଏପ୍ରିଲ ସୁଦ୍ଧା ଏହା ଖସି ୩୮ରେ ପହଞ୍ଚିଛି । ୨୪ ତାରିଖରେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଓଡିଶା, ଛତିଶଗଡ଼, ଆନ୍ଧ୍ର, ଝାଡଖଣ୍ଡ, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଯୋଗଦେବେ ।