ମଦ ମୃତ୍ୟୁ ଘଟଣାର ଆରଡିସି ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣାର ହେବ ଆରଡିସି ତଦନ୍ତ । ଏନେଇ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ । ଆରଡିସି ତଦନ୍ତ ନେଇ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨ ମାସ ଭିତରେ ତଦନ୍ତ ରିପୋର୍ଟ ଆସିବ ।

ଆଗକୁ ସେ କହିଛନ୍ତି,  ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ ଭାଟି ଉପରେ ଚଢ଼ାଉ ଜାରି ରହିଛି । ରାଜ୍ୟବ୍ୟାପୀ ବର୍ତ୍ତମାନ ସୁଦ୍ଧା ୧୧୭ ଜଣଙ୍କୁ ଗିରଫ କରାଯାଇଛି । ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।

ସୂଚନାଯୋଗ୍ୟ, ମଦ ମୃତ୍ଯୁକୁ ନେଇ ଆଜି ବିଧାନସଭା ତୁମ୍ବିତୋଫାନ  ହୋଇଥିଲା । ବାରମ୍ବାର ହଙ୍ଗାମା ହେବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁତଲବି କରିଦେଇଥିଲେ ବାଚସ୍ପତି । ଆରମ୍ଭରୁ ଗୃହରେ ଗଞ୍ଜାମ ଚିକିଟି ମଦମୃତ୍ଯୁ ନେଇ ହଟ୍ଟଗୋଳ ହୋଇଥିଲା । ଅବକାରୀ ମନ୍ତ୍ରୀ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲା ବିଜେଡି । କାହିଁକି ସରକାର ବିଷାକ୍ତ ମଦମୃତ୍ଯୁକୁ ନେଇ ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି ।