ରାଜ୍ଯସଭା ଉପନିର୍ବାଚନ, ଆଜି କରାଯିବ ପ୍ରାର୍ଥିପତ୍ର ଯାଞ୍ଚ

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯସଭା ଉପନିର୍ବାଚନ ପାଇଁ ରାଜ୍ଯରାଜନୀତି ଚଳଚଞ୍ଚଳ । ବିଜେପି ଦଳରୁ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ଭରିବା ପରେ ରାଜନୀତି ଆହୁରି ଉଷ୍ମ ହୋଇଛି । ଆଜି ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ତେବେ ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ରାଜ୍ଯ ବିଜେପି ଦୁଇ ଫାଳ ହୋଇଥିବା ଆଲୋଚନା ହେଉଛି । ଦଳୀୟ ପ୍ରାର୍ଥୀ ମମତା ମହାନ୍ତ ପ୍ରାର୍ଥିପତ୍ର ଭରିଥିବାବେଳେ ଶେଷ ସମୟରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଜଗନ୍ନାଥଙ୍କ ପାଇଁ ବିଜେପିର ୧୦ ଜଣ ବିଧାୟକ ପ୍ରସ୍ତାବକ ରହିଛନ୍ତି । ସ୍ବାଧୀନ ଭାବେ ନାମାଙ୍କନ ଭରିଥିବା ଜଗନ୍ନାଥ ଗଣମାଧ୍ଯମକୁ ସୂଚନା ଦେଇଛନ୍ତି । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଅନୁଗୁଳ ବିଧାୟକ ଅଗସ୍ତୀ ବେହେରା, ମହାକାଳପଡ଼ା ବିଧାୟକ ଦୁର୍ଗା ନାଏକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରାୟ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବଡ଼ଚଣା ବିଧାୟକ ଅମର ନାୟକ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଳା, ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକଙ୍କ ସହ ୧୦ ଜଣ ଜଗନ୍ନାଥଙ୍କର ପ୍ରସ୍ତାବକ ରହିଛନ୍ତି । ପ୍ରଶ୍ନ ଉଠୁଛି, ମମତା ମହାନ୍ତ ବିଜେପି ପ୍ରାର୍ଥୀ ହୋଇଥିବାବେଳେ କାହିଁକି ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କଲେ ଜଗନ୍ନାଥ ? ଜଗନ୍ନାଥ ବିଜେପିର ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡ଼ା ହେଲେ କି ? ମମତା ବିଜେପି ପ୍ରାର୍ଥୀ ହୋଇଥିବାବେଳେ ଜଗନ୍ନାଥଙ୍କ ସପକ୍ଷରେ ୧୦ ବିଜେପି ବିଧାୟକ ପ୍ରସ୍ତାବକ ରହିଲେ କେମିତି ? ଜଗନ୍ନାଥଙ୍କୁ ମିଳିବ କି ବିଜେଡି ଓ କଂଗ୍ରେସର ସମର୍ଥନ ? ରାଜନୈତିକ ସମୀକ୍ଷକଙ୍କ ମତରେ ଯଦି କଂଗ୍ରେସ ଓ ବିଜେଡି ଜଗନ୍ନାଥଙ୍କୁ ସମର୍ଥନ କରନ୍ତି ତେବେ ବିଜେପି ପ୍ରାର୍ଥୀ ମମତାଙ୍କ ବିଜୟ ସମ୍ଭାବନା ସଂକଟରେ ପଡ଼ିଯିବ ।