ସକ୍ରିୟ ରହିଛି ଲଘୁଚାପ, ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ଓ ତତସଲଗ୍ନ ଅଂଚଳରେ ସକ୍ରିୟ ରହିଛି ସଦୃଶ ଲଘୁଚାପ। ଏହାସହ ରାଜ୍ୟ ଉପରେ ମୌସୁମୀ ଟ୍ରପ ଲାଇନ ବି ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ପାଇଁ ସୁନ୍ଦରଗଡ, ସମ୍ବଲପୁର, ଦେଓଗଡ ଓ ଝାରସୁଗୁଡା ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୨୨ ରୁ କମିବ ପ୍ରଭାବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ ରୁ ଏଯାବତ ୭୧୦.୫ ମିମି ବର୍ଷା ରେକର୍ଡ ହୋଇଛି। ଏବେ ବି ୧୧ ପ୍ରତିଶତ ନିଆଣ୍ଟିଆ ବର୍ଷା ରହିଛି। ୮୦୧. ୫ ମିମି ବର୍ଷା ସ୍ୱାଭାବିକ ରହିବା କଥା । ୨ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।