ପାଣିଗ୍ରାହୀ ପରିବାର ପାଇଁ ଅଶୁଭ ରାକ୍ଷୀପୂର୍ଣ୍ଣିମା: ରକ୍ତରଞ୍ଜିତ ହେଲା ପରିବାର, ୧୭ ବର୍ଷ ପୂର୍ବେ…

ବ୍ରହ୍ମପୁର: ବ୍ରହ୍ମପୁରର ପାଣିଗ୍ରାହୀ ପରିବାର । ରାକ୍ଷୀ ପୂର୍ଣ୍ଣିମା ପାଣିଗ୍ରାହୀ ପରିବାର ପାଇଁ ପୁଣି ଥରେ ଅଶୁଭ ସାବ୍ୟସ୍ତ ହୋଇଛି । ୧୭ ବର୍ଷ ପୂର୍ବେ ସେହି ରାକ୍ଷୀରେ ଯାଇଥିଲା ଜେଜେଙ୍କ ଜୀବନ । ଏବେ ପୁଣି ସେହି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତରଞ୍ଜିତ ହେଲା ପରିବାର । ବ୍ରହ୍ମପୁର ବଡ଼ବଜାର ଥାନା ଜଗନ୍ନଥ ବିହାର ସପ୍ତମ ଲାଇନରେ ଭଉଣୀର ଜୀବନ ନେଲା ଭାଇ । ହତ୍ଯାକାଣ୍ଡ ଘଟାଇବା ପରେ ହତ୍ଯାକାରୀ ଭାଇର ବି ଦୁର୍ଘଟଣାରେ ଯାଇଛି ଜୀବନ। ସେପଟେ ଆକ୍ରମଣରେ ଆହତ ହୋଇ ଜୀବନ ସହ ସଂଗ୍ରାମ କରୁଛି ସାନ ଭାଇ ।

ଜଗନ୍ନାଥ ବିହାରରେ ବଡ଼ ଭାଇ ଦୁର୍ଗାପ୍ରସାଦ ପାଣିଗ୍ରାହୀଙ୍କ ଘରେ ଚାଲିଥିଲା ଶ୍ରାଦ୍ଧ । ରାକ୍ଷୀ ପୂର୍ଣ୍ଣିମାରେ ହେଉଥିବା ଏହି ଶ୍ରାଦ୍ଧରେ ଯୋଗ ଦେଇଥିଲେ ତାଙ୍କର ୩ ଭାଇ ସତ୍ଯନାରାୟଣ, ରବୀନ୍ଦ୍ର ଓ ପ୍ରଦୀପଙ୍କ ପରିବାର । ଉପର ମହଲାରେ ପିଲାମାନେ ଖେଳୁଥିବାବେଳେ ହଠାତ ସତ୍ଯନାରାୟଙ୍କ ପୁଅ ଆଶୁତୋଷ ରବୀନ୍ଦ୍ରଙ୍କ ଝିଅ ପ୍ରଯୁକ୍ତାଙ୍କୁ ଛୁରୀରେ କରିଥିଲେ ଆକ୍ରମଣ । ଏଥିରେ ପ୍ରଯୁକ୍ତଙ୍କ ମୃତ୍ଯୁ ହୋଇଥିବାବେଳେ ହତ୍ଯାକାଣ୍ଡ ଘଟାଇ ଫେରାର ଥିବା ଆଶୁତୋଷଙ୍କ ବସ ଧକ୍କାରେ ମୃତ୍ଯୁ ଘଟିଛି । ପ୍ରଯୁକ୍ତାଙ୍କୁ ଆକ୍ରମଣ ବେଳେ  ବାଧା ଦେବାରୁ ଯାଇ ପ୍ରଦୀପଙ୍କ କୁନିପୁଅ ଆୟୁଷ୍ମାନ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

୧୭ ବର୍ଷ ପରେ ପୁଣି ପରିବାରର ଦୁଇ ଜଣଙ୍କ ମୃତ୍ଯୁ ଘଟିଛି । ଆଶୁତୋଷ ଓ ପ୍ରଯୁକ୍ତା ଘରର ଏକମାତ୍ର ସନ୍ତାନ ଥିବାରୁ ରାକ୍ଷୀ ପୂର୍ଣ୍ଣିମାରେ ଉଭୟଙ୍କ ମୃତ୍ଯୁ ପରେ ନିଃସନ୍ତାନ ହୋଇଯାଇଛନ୍ତି ସତ୍ଯନାରାୟଣ ଓ ରବୀନ୍ଦ୍ରଙ୍କ ପରିବାର । ବାପାଙ୍କ ଶ୍ରାଦ୍ଧ ପାଇଁ ଲୋଚାପଡ଼ାରୁ ବଡ଼ଭାଇଙ୍କ ଘରକୁ ଆସିଥିଲେ । ହେଲେ କିଏ ଜାଣିଥିଲା ଏପରି ଅଘଟଣ ଘଟିବ ବୋଲି । ଏହି ହତ୍ଯାକାଣ୍ଡ ପଛରେ କୌଣସି କାରଣ ସ୍ପଷ୍ଟ ହୋଇ ନଥିବାବେଳେ ଆୟୁଷ୍ମାନ ସୁସ୍ଥ ହେବା ପରେ ତାଙ୍କ ବୟାନ ହିଁ ଘଟଣାର ରହସ୍ଯ ଉନ୍ମୋଚନ କରିପାରିବ ବୋଲି କହିଛନ୍ତି ଏସପି ।