ଭୁବନେଶ୍ବର ଓ କଟକ ପରେ ଝାଡ଼ଖଣ୍ଡରୁ ମିଳିଲା ୫ ସିମବକ୍ସ

1 min read

ଭୁବନେଶ୍ବର: ଟ୍ବିନସିଟି କଟକ ଓ ଭୁବନେଶ୍ବରରୁ ସିମବକ୍ସ ମିଳିବା ସାରେ ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଝାଡ଼ଖଣ୍ଡରୁ ୫ଟି ସିମବକ୍ସ ଜବତ କରାଯାଇଛି । ରାଞ୍ଚି ବିର୍ସାମୁଣ୍ଡା ବସଷ୍ଟାଣ୍ଡ ନିକଟରୁ ମିଳିଛି ଏହିସବୁ ସିମବକ୍ସ ସହ ପୁଳା ପୁଳା ପ୍ରିଆକ୍ଟିଭେଟେଡ ସିମ୍ । ଅଭିଯୁକ୍ତ ଏଜେଣ୍ଟ ରାଜୁ ମଣ୍ଡଳକୁ ଧରି ରାଞ୍ଚି ଯାଇଛି କମିଶନରେଟ ପୋଲିସ । ପୋଲିସର ସ୍ପେଶାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ପୋଲିସ ଏହି ଟିମରେ ସାମିଲ ଅଛନ୍ତି । ଆତଙ୍କବାଦୀ ଲିଙ୍କ ନେଇ ଚାଲିଛି ଖୋଳତାଡ଼ । ଭଡ଼ାଘରୁ ବହୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ସହ ବୈଦ୍ୟୁତିକ ଉପକରଣ ମଧ୍ୟ ଜବତ ହୋଇଛି ।

ଅଭିଯୁକ୍ତ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରୁଛି ପୋଲିସ ଟିମ । ତୃତୀୟ ଦିନ ରିମାଣ୍ଡ ବେଳେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚିରେ ପହଞ୍ଚିଛି ସ୍ପେଶାଲ ସ୍କ୍ୱାଡ଼ ଓ ଲକ୍ଷ୍ମୀସାଗର ଥାନା ପୋଲିସ । ପ୍ରଥମେ ମଙ୍ଗରାଜ ପଏଣ୍ଟ ଓ ପରେ ମଧୁପାଟଣା ଏବେ ପୁଣି ସୁଦୂର ରାଞ୍ଚିରୁ ମିଳିଛି ସିମବକ୍ସ ।

ସ୍ଲିପର ସେଲ ଭାବେ କାମ କରୁଥିବା ରାଜୁରର ମାଷ୍ଟରମାଇଣ୍ଡ ଆସାଦୁର ଜମାନ କଟକ ରୋଡରେ ରହୁଥିବା ଲିଙ୍ଗରାଜ ହୋଟେଲ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ । କାରଣ ଜଣେ ବିଦେଶୀ ଭାବେ ଆସାଦୁର ସେହି ହୋଟେଲରେ ରହୁଥିଲେ ସୁଦ୍ଧା ଫର୍ମ-C ପୂରଣ କରି ନଥିଲା ହୋଟେଲ । ଫଳରେ ପୂରା ସିଣ୍ଡିକେଟ ଜାଣିବାରେ ବିଫଳ ହୋଇଥିଲା ପୋଲିସ । ଟୁଇନ ସିଟି ଓ ରାଞ୍ଜିରୁ ଏପର୍ଯ୍ୟନ୍ତ ମୋଟ ୧୭ଟି ସିମବକ୍ସ ମିଳିଛି ।

ସିମବକ୍ସ ହଇଚଇ ଭିତରେ ପୂର୍ବରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ଯକର ତଥ୍ଯ । କଟକକୁ ଆସିଥିଲା ବଂଲାଦେଶର ଅସଦୁର ଜମାନ । ଅସଦୁର ହିଁ କଟକର ଭଡ଼ାଘରେ ଖଞ୍ଜିଥିଲା ସିମବକ୍ସ । ୨୦୨୩ ଡିସେମ୍ବରରୁ ରାଜୁ ମଣ୍ଡଳ କଟକ ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗରରେ ଏକ ଭଡା ଘର ନେଇଥିଲା । ଲୁଗା ବ୍ୟବସାୟ କରିବାକୁ କହି ଘର ଭଡ଼ା ନେଇଥିଲା ରାଜୁ । ମାସିକ ୮ ହଜାର ଟଙ୍କା ଫୋନ୍ ପେ’ରେ ଘର ଭଡ଼ା ଦେଉଥିଲା । ଡିସେମ୍ବରରେ ବାଂଲାଦେଶର ୩୦ ବର୍ଷୀୟ ଅସଦୁର ଜମାନ କଟକ ଆସିଥିଲା । ଏହି ଭଡ଼ା ଘରେ ସେ ସିମବକ୍ସ ଖଞ୍ଜିଥିବା ବେଳେ ରାଜୁ ଏହାର ରକ୍ଷଣାବେକ୍ଷଣ କରୁଥିଲା ।

ଅସଦୁର ଭାରତକୁ ଭିସା କରି ଓଡ଼ିଶା ଆସିଥିଲା । ଏହାର ବୈଧତା ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ରହିଥିଲା । ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଅଗରତାଲା ଦେଇ ଭାରତ ଆସି ଡିସେମ୍ବର ୨୪ ତାରିଖରେ ପୁଣି ବଂଲାଦେଶ ଫେରିଥିଲା । ରାଜେନ୍ଦ୍ର ନଗର ଘରୁ ୫ଟି ସିମବକ୍ସ ସହ ୪୦ଟି ସିମ କ୍ଯାରିୟର, ଗୋଟିଏ ମୋଡେମ ଓ ୨୩୬ଟି ଆକ୍ଟିଭ୍ ସିମ୍ ସମେତ ମୋଟ ୫୪୬ଟି ସିମ୍ ଜବତ ହୋଇଛି । କୋଡ଼ୱାର୍ଡରେ ଚାଲିଥିଲା ସିମବକ୍ସ କାରବାର । ରାଜୁ ମଣ୍ଡଳକୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେବା ପରେ ଏଭଳି ବଡ଼ ଖୁଲାସା କରିଛି କମିଶନରେଟ ପୋଲିସ । ସାଇଣ୍ଟିଫିକ ଟିମ ମେସିନଗୁଡିକୁ ସିଜ କରିବା ସହ ଆରମ୍ଭ କରିଛି ଛାନଭିନ । ରାଜୁଠାରୁ ମିଳିଥିବା ଇନପୁଟ ମୁତାବକ ବାଂଲାଦେଶ, ପାକିସ୍ତାନ ସହ ଚାଇନାକୁ ଏହି ସିମବକ୍ସ ଦ୍ୱାରା କରାଯାଉଥିଲା କଲ । ଲିକ୍ କରାଯାଉଥିଲା ଗୁରୁତ୍ୱପୂର୍ଣ୍ଣ ଡାଟା ।