ବିଜ୍ଞାପନ ବାତିଲ ଲାଗି ୟୁପିଏସସିକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଚିଠି

ନନ୍ଦିଘୋଷ ବ୍ୟୁରୋ: ବ୍ଯୁରୋକ୍ରାସିରେ ଲାଟେରାଲ ଏଣ୍ଟ୍ରି ନେଇ ୟୁପିଏସସିର ବିଜ୍ଞାପନ ପ୍ରସଙ୍ଗ। ଏସଂକ୍ରାନ୍ତ ବିଜ୍ଞାପନ ବାତିଲ କରିବା ଲାଗି ୟୁପିଏସସିକୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ।  କେନ୍ଦ୍ର ସରକାରଙ୍କ ଅଧୀନରେ ବିଭିନ୍ନ ବରିଷ୍ଠ ପଦବି ଲାଗି ଲାଟେରାଲ ଚୟନ ସକାଶେ ଟାଲେଣ୍ଡେଡ ଓ ମୋଟିଭେଟେଡ ଭାରତୀୟଙ୍କୁ ଚୟନ କରିବା ଲାଗି ୟୁପିଏସସି କିଛି ଦିନ ତଳେ ବିଜ୍ଞାପନ ପ୍ରକାଶ କରିଥିଲା। କେନ୍ଦ୍ର ସରକାରଙ୍କ ଅଧୀନରେ ୨୪ଟି ମନ୍ତ୍ରାଳୟରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ ଡେପୁଟି ସେକ୍ରେଟାରୀ ନିଯୁକ୍ତି ଲାଗି ଏହି ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଏହି ଯୋଜନାରେ ୪୫ଟି ପଦବି ଲାଗି ବ୍ଯବସ୍ଥା ହୋଇଥିଲା। ଲାଟେରାଲ ଏଣ୍ଟ୍ରିକୁ ନେଇ ଅମଲାତନ୍ତ୍ରରେ ବିବାଦ ଦେଖାଦେଇଥିଲା। ଏପରିକି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ଯ ଏହି ବ୍ଯବସ୍ଥାକୁ ସମାଲୋଚନା କରିଥିଲେ। ଏହି ଯୋଜନାରେ ପାରମ୍ପରିକ ସରକାରୀ ସେବା କ୍ଯାଡର ଯଥା ଆଇଏଏସ ବଦଳରେ ଅନ୍ଯାନ୍ଯ ବିଭାଗରୁ ବ୍ଯକ୍ତିବିଶେଷଙ୍କୁ ଚୟନ କରି ନିଯୁକ୍ତି ଦେବା ବ୍ଯବସ୍ଥା ରହିଥିଲା। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଏହି ବ୍ଯବସ୍ଥା ଆରମ୍ଭ ହୋଇଥିଲା।