ଡାକ୍ତରଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବ୍ୟବସ୍ଥା : ସୁପ୍ରିମକୋର୍ଟ

1 min read

ନନ୍ଦିଘୋଷ ବ୍ୟୁରୋ:କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ଯା ଘଟଣା। ମାମଲାକୁ ଅତି ଗମ୍ଭୀର ଦର୍ଶାଇଛନ୍ତି ପ୍ରଧାନବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ। ହସ୍ପିଟାଲରେ ଡାକ୍ତରଙ୍କ ନିରାପତ୍ତା ନେଇ ୧୦ ଜଣିଆ ନ୍ଯାସନାଲ ଟାସ୍କ ଫୋର୍ସ ଗଠନ କରିବେ ସୁପ୍ରିମକୋର୍ଟ। I ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଡାକ୍ତରଙ୍କ ନିରାପତ୍ତା ପ୍ରସଙ୍ଗରେ ଏହି ଟାସ୍କଫୋର୍ସ ସୁପାରିସ କରିବ ବୋଲି କହିଛନ୍ତି ଖଣ୍ଡପୀଠ। ମାମଲାର ଶୁଣାଣି କରି ୩ଜଣିଆ ଖଣ୍ଡପୀଠ କହିଛନ୍ତି- ସରକାରୀ ହସ୍ପିଟାଲରେ ଡାକ୍ତରମାନଙ୍କ ସୁରକ୍ଷା ଅତି ଦୁର୍ବଳ। ଘଟଣା ଘଟିବାର ଦୀର୍ଘ ସମୟ ପରେ କାହିଁକି ବିଳମ୍ବରେ ଏଫଆଇଆର ଦାୟର ହେଲା ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ। ପ୍ରାଥମିକ ସ୍ତରରେ ପିଜି ଛାତ୍ରୀଙ୍କ ହତ୍ଯା ଘଟଣାକୁ କାହିଁକି ପ୍ରିନସିପାଲ ଆତ୍ମହତ୍ଯା ଘଟଣା ଦର୍ଶାଇଲେ ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ। ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ନିଜ ଆଡୁ ଗ୍ରହଣ କରିଥିଲେ। ଦେଶବ୍ଯାପୀ ଡାକ୍ତରଙ୍କ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ଘଟଣାର ତଦନ୍ତ ପରିସରକୁ ଅଧିକ ବ୍ଯାପ୍ତ କରିବା ସମ୍ଭାବନା ସୃଷ୍ଟି କରିଛି। ପୂର୍ବରୁ ଦେଶରେ ସ୍ବାସ୍ଥ୍ଯକର୍ମୀଙ୍କ ସୁରକ୍ଷା ନେଇ ସ୍ବତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲା ଫେଡେରେସନ ଅଫ ରେସିଡେଣ୍ଟସ ଅଫ ଡକ୍ଟରସ ଆସୋସିଏସନ ବା ଫୋର୍ଡା। କୋର୍ଟଙ୍କ ଉପରେ ଭରସା ରଖିବାକୁ ଡାକ୍ତରଙ୍କୁ ଅପିଲ କରିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଅଗଷ୍ଟ ୨୨ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି। ଏହା ସହ କାର୍ଯ୍ୟରେ ଯୋଗଦେବାକୁ ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି ସୁପ୍ରିମକୋର୍ଟ।