ହରିୟାଣା ଏବଂ ଜମ୍ମୁ-କାଶ୍ମୀର ନିର୍ବାଚନ ପୂର୍ବରୁ ରାହୁଲଙ୍କ ପ୍ଲାନ, କହିଲେ ଏହି ସର୍ତ୍ତରେ ମିଳିବ ଟିକେଟ

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ଏବଂ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ରଣକୌଶଳ ପ୍ରସ୍ତୁତ କରିଛି କଂଗ୍ରେସ । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କି, ବଡ଼ ବଡ଼ ନେତାଙ୍କୁ ମଧ୍ୟ ଟିକେକ ମିଳିବନି । କେବଳ ବଡ଼ ନେତା ହେଲେ ଟିକେଟ ମିଳିବ ଏହାର କୌଣସି ଯଥାର୍ଥ ନାହିଁ । ଯେଉଁ ନେତାଙ୍କୁ ଲୋକେ ପସନ୍ଦ କରୁଥିବେ ଏବଂ ବାହାରୁ ତାଙ୍କ ନାମ ଶୁଣିବାକୁ ମିଳୁଥିବା ତାଙ୍କ ଟିକେଟ ମିଳିବ । ମାତ୍ର ଯେଉଁ ନେତାଙ୍କ ବିରୋଧରେ ବିଭିନ୍ନ ଅପରାଧିକ ମାମଲା ଥିବ ସେମାନଙ୍କୁ ଟିକେଟ ଦିଆଯିବ ନାହିଁ । ଏକ ସର୍ଭେ କରାଯାଉଥିବାବେଳେ ଏହି ଆଧାରରରେ ଟିକେଟ ବଣ୍ଟାଯିବ । ସୋମବାର କଂଗ୍ରେସର ସ୍ମ୍ରିନିଂ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଭଳି କହିଛନ୍ତି ରାହୁଲ ଗାନ୍ଧୀ ।

କହି ରଖୁଛୁ କି, ବିଧାନସଭା ନିର୍ବାଚନରେ ଟିକେଟ ପାଇବା ପାଇଁ ବହୁ ବଡ଼ ନେତା ରେସରେ ରହିଛନ୍ତି । ମାତ୍ର ନୂଆ ନେତାଙ୍କ ଲୋକପ୍ରିୟତା ରହିଥିବାବେଳେ ସେମାନେ ମଧ୍ୟ ଟିକେଟ ପାଇବା ରେସରେ ରହିଛନ୍ତି । ଲୋକସଭା ନିର୍ବାଚନରେ ଯେଭଳି କଂଗ୍ରେସର ଭଲ ପ୍ରଦର୍ଶନ ରହିଥିଲା ସେଭଳି ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ନିଜର ଦବଦବା ହାଜିର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ସରକାରକୁ ଆସିବା ପାଇଁ ଦଳ ପକ୍ଷରୁ ପ୍ଲାନମାନ କରାଯାଉଛି ।