ପୁଣି ଉପାସରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ

ଖାଡା ଉପାସରେ ମହାପ୍ରଭୁ ଲିଙ୍ଗରାଜ । ଗତକାଲି ସଂନ୍ଧ୍ୟା ଧୂପ ପରଠାରୁ ଉପାସରେ ଅଛନ୍ତି ଲିଙ୍ଗରାଜ । ବଡୁ ଓ ପୂଜାପଣ୍ଡା ନିଯୋଗର ସେବା ବିବାଦକୁ ନେଇ ନୀତି ବିଭ୍ରାଟ ହୋଇଛି । ପଇତା ଲାଗିକୁ ନେଇ ଗତ ଚାରିବର୍ଷ ହେବ ଏହି ସମୟରେ ଏଭଳି ସମସ୍ୟା ଦେଖାଦେଉଛି । ୨୦୧୯ ମସିହା ପର୍ଯ୍ୟନ୍ତ ପୂଜାପଣ୍ଡାମାନେ ପ୍ରଥମେ ପଇତା ଲାଗି କରୁଥିଲେ ପରେ ବଡୁ ନିଯୋଗ କରୁଥିଲେ । ହେଲେ ୨୦୨୧ ମସିହାଠୁ ବଡୁ ନିଯୋଗ ପୂଜାପଣ୍ଡା ନିଯୋଗକୁ ପଇତାଲାଗି ନୀତି କରିବାକୁ ଦେଲେନାହିଁ । ତାହା ପରଠୁ ବିବାଦ ଆରମ୍ଭ ହୋଇଛି। ଦେବୋତ୍ତରରେ ମାମଲା ଚାଲିଥିଲେ ମଧ୍ଯ ନିଷ୍ପତ୍ତି କିଛି ବାହାରିପାରିନି । ଫଳରେ ଗତକାଲି ସଂନ୍ଧ୍ୟା ଧୂପ ପରଠୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଅଛି ।

ଘଟଣାକୁ ନେଇ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଦୁଇ ନିଯୋଗର ବିବାଦ ପାଇଁ ମହାପ୍ରଭୁ ଲିଙ୍ଗରାଜ କାହିଁକି ଉପାସରେ ରହିବେ ବୋଲି ଶ୍ରଦ୍ଧାଳୁମାନେ ପ୍ରଶ୍ନ କରିଛନ୍ତି । ପୂଜାପଣ୍ଡା ଓ ସୁଆର ସେବକ ମାନେ ନିଜ ସ୍ବାର୍ଥ ପାଇଁ ମହାପ୍ରଭୁଙ୍କୁ ଉପାସରେ ରଖିବା ଏମାନଙ୍କର ଅଭ୍ୟାସ ହୋଇଗଲାଣି। ତୁରନ୍ତ ରାଜ୍ୟ ସରକାର ଓ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସମାଧାନ କରିବାର ଆବଶ୍ୟକତା ରହିଛି । ପରମ୍ପରା ଅନୁସାରେ ୨୭ ଗୋଟି ପଇତା ଲାଗି କରାଯାଏ । ପୂଜାପଣ୍ଡା ସେବକମାନେ ୩ ପଟ ପଇତା ଲାଗି କରିବା ପାଇଁ ଜିଦ୍ କରୁଛନ୍ତି ।

ତେଣୁ ପ୍ରସଙ୍ଗ ଏବେ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ଦେବୋତ୍ତର କୋର୍ଟରେ ରହିଛି । ତେଣୁ କୋର୍ଟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ପଇତା ଲାଗି ନୀତିକୁ ଛାଡ଼ି ଅନ୍ୟ ସବୁ ନୀତି ବନ୍ଦ ହେବନାହିଁ । ଲିଙ୍ଗରାଜ ଆଇନ ବା ସତ୍ଵଲିପି ହୋଇ ଗଲେ ଠାକୁରଙ୍କ ନୀତି ଆଉ ବନ୍ଦ ହୋଇ ପାରିବ ନାହିଁ । ମାମଲା କୋର୍ଟରେ ଅଛି ତେଣୁ ସରକାର ଓ ପ୍ରଶାସନ ବି ହସ୍ତକ୍ଷେପ କଲେ କିଛି ଲାଭ ହେବ ନାହିଁ ବୋଲି କହିଛନ୍ତି ବଡୁ ନିଯୋଗ ସମ୍ପାଦକ । ଅନ୍ୟପଟେ ପୂଜାପଣ୍ଡା ନିଯୋଗ ଏହି ଘଟଣା ପାଇଁ ବଡୁ ନିଯୋଗକୁ ଦାୟୀ କରିଛନ୍ତି ।