ରଣକ୍ଷେତ୍ର ପାଲଟିଲା ଗାଁ , ୮୫ ଗ୍ରାମବାସୀଙ୍କୁ ହତ୍ୟା କଲେ ବିଦ୍ରୋହୀ ଅର୍ଦ୍ଧ ସାମରିକ ବାହିନୀ

ନନ୍ଦିଘୋଷ ବ୍ୟୁରୋ : ସୁଡାନର ଏକ ଗାଁରେ ବିଦ୍ରୋହୀ ଅର୍ଦ୍ଧ ସାମରିକ ବାହିନୀଙ୍କ ସମୁହ ଆକ୍ରମଣରେ ପାଖାପାଖି ୮୫ଜଣଙ୍କ ମୃତ୍ୟୁ ଘଟିଛି । ମହିଳା ଓ ଶିଶୁଙ୍କୁ ବି ଛାଡିଲେନି ଆରଏସଏଫ୍ ବାହିନୀ । ଗାଁରେ ପଶି ଆତଙ୍କ ଖେଳାଇବା ସହ ଘରଗୁଡିକ  ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଅଧିକାରୀ  ମାନଙ୍କ ସୂଚନା ଅନୁଯାୟୀ, ୧୮ ମାସ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ଏହା ସବୁଠୁ ଭୟଙ୍କର ଘଟଣା । ସୁଡାନର ବୈଦେଶିକ ମନ୍ତ୍ରାଳୟଙ୍କ ଅନୁଯାୟୀ, ବିଦ୍ରୋହୀ ଅର୍ଦ୍ଧ ସାମରିକ ବାହିନୀ ( ଆରଏସଏଫ୍ )ଙ୍କ  ଏହି ଆକ୍ରମଣରେ ୧୫୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ରହିଛି ଯେ, ପୂର୍ବବର୍ଷ ଏପ୍ରିଲରେ ଯୁଦ୍ଧ ଆରମ୍ଭ ପରେ ପରେ ଆରଏସଏଫଙ୍କ ବିରୋଧରେ ବାରମ୍ୱାର ଗଣହତ୍ୟା, ବଳାତ୍କାର ଏବଂ ଅନ୍ୟ ଗମ୍ଭୀର ଆରୋପ ଲାଗି ଆସିଛି । ରିପୋର୍ଟ ମୁତାବକ, ଏହି ଗଣହତ୍ୟା ଘଟଣା ବିଷୟରେ ବୟାନ ଦେଇ ୩ ଗ୍ରାମବାସୀ କହିଛନ୍ତି ଯେ, ବହୁ ସଂଖ୍ୟାରେ ଆରଏସଏଫ୍ ସେନା ଗାଁ ଭିତରେ ପଶି ପ୍ରଥମେ ଆଖିବୁଜା ଗୁଳି ଚଳାଇଥିଲେ ଏବଂ ଲୁଟପାଟ କରିଥିଲେ  । ରିପୋର୍ଟ ଅନୁସାରେ ହସ୍ପିଟାଲରେ ୮୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଶବ ଦେଖିବାକୁ ମିଳିଥିଲା  । ଯେଉଁଥିରେ ୨୪ ମହିଳା ଏବଂ ନାବାଳକ ଥିଲେ ।

ଦିନକୁ ଦିନ ସୁଡାନର ପରିସ୍ଥିତି ଖରାପ ହେବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ସ୍ଥାନାନ୍ତରଣ ସଂଗଠନ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠୁ ୧୦.୭ ନିୟୁତରୁ ଅଧିକ ଲୋକ ନିଜ ଘର ଛାଡି ପଳାୟନ କରିବାକୁ ବାଦ୍ଧ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ମିଲିୟନରୁ ଅଧିକ ଲୋକ ପଡୋଶୀ ଦେଶକୁ ପଳାୟନ କରିଛନ୍ତି ।