ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଖାଦ୍ୟ ଫିଙ୍ଗିବା ଘଟଣା, ଘଟଣାର ତଦନ୍ତ କରିଛନ୍ତି ଫୁଡ଼ କମିଶନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ସାରଗାଁ ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଖାଦ୍ୟ ଫିଙ୍ଗିବା ଘଟଣାର ଆଜି ତଦନ୍ତ କରିଛନ୍ତି ଫୁଡ଼ କମିଶନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ । ଆଜି ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ, ସମାଜ ମଙ୍ଗଳ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ସ୍କୁଲରେ ଘଟିଥିବା ଖାଦ୍ୟ ଫିଙ୍ଗା ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । କାହିଁକି ଏଭଳି ଘଟଣା ଘଟିଲା, ଏହି ଘଟଣା ପାଇଁ କିଏ ଦାୟୀ, ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଛନ୍ତି ଅଧ୍ୟକ୍ଷ ଅବନୀକାନ୍ତ ସାହୁ । ଗତକାଲି ମଧ୍ୟ ସ୍କୁଲକୁ ଯାଇ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ, ଖାଦ୍ୟ ପ୍ରସ୍ତୁତ ଦାୟିତ୍ବରେ ଥିବା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହିତ ଆଲୋଚନା କରିଥିଲେ । ତେବେ ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ପରିଚାଳନା କମିଟି ତରଫରୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା, ତରକାରୀରେ ଆଳୁର ପରିମାଣ କମ ଥିବା, ତରକାରୀ ମଧ୍ୟ କମ ଦିଆଯାଉଥିବା ଅଭିଯୋଗ କରାଯାଇଥିଲା । ସ୍ବୟଂ ସହାୟିକା ଗୋଷ୍ଠୀ ଖାଦ୍ୟ ଫିଙ୍ଗି ଥିବାରୁ ଦୁଃଖ ପ୍ରକାଶ କରିଥିଲେ ବ୍ଲକ ଶିକ୍ଷା ଅଧିକାରୀ । ସେହିପରି ବଜାର ଦର୍‌ ବୃଦ୍ଧି ହୋଇଥିବାରୁ ଆଳୁ ଓ  ତରକାରୀର ପରିମାଣ କମ୍‌ ଥିବା ମଧ୍ୟ ଏସ୍‌ଏଚ୍‌ଜି ତରଫରୁ କୁହାଯାଇଥିଲା । ଘଟଣାର ତଦନ୍ତକରି କାହିଁକି ଛାତ୍ରଛାତ୍ରୀଙ୍କୁ ଖାଇବାକୁ ନଦେଇ ଫିଙ୍ଗାଗଲା, ସେନେଇ ଖାଦ୍ୟ ପ୍ରସ୍ତୁତି ଦାୟିତ୍ବରେ ଥିବା ଏସ୍‌ଚ୍‌ଜିକୁ କାରଣ ଦର୍ଶାଅ ନୋଟିସ୍‌ ଜାରୀ କରିଥିଲେ ବ୍ଲକ୍‌ ଶିକ୍ଷା ଅଧିକାରୀ । ତଦନ୍ତ ରିପୋର୍ଟ ଆସିବା ପରେ ଏସ୍‌ଏଚ୍‌ଜି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।