ଆରମ୍ଭ ହେଲା ନୂଆ ବିଧାୟକଙ୍କ ପାଠଶାଳା: ଗୃହର ଗରିମା ହାନି ଅଭିଯୋଗରେ ବିଜେଡି ଓ କଂଗ୍ରେସର ବୟକଟ

ଭୁବନେଶ୍ୱର: ଆରମ୍ଭ ହେଲା ନୂଆ ବିଧାୟକଙ୍କ ପାଠଶାଳା। ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିବ ଏହି ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ। ସପ୍ତଦଶ ବିଧାନସଭାର ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ସମେତ ବିଜେପିର ବିଧାୟକ ମାନେ ଉପସ୍ଥିତ ରହିଥିଲେ। ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ ଏବଂ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କର ଗୋଟିଏ ଗୋଟିଏ ସେସନ ରହିଛି। ଯେଉଁଥିରେ ବରିଷ୍ଠ ମାନେ ନିଜର ଅଭିଜ୍ଞତା ବାଣ୍ଟିବେ। ବିଧାନସଭା ରୁଲ ଓ ପ୍ରୋସିଡିଂ ବିଷୟରେ ବିଧାୟକଙ୍କୁ ଅବଗତ କରାଇବେ। ବିଧାନସଭାରେ ଭଲ ପ୍ରଦର୍ଶନ ପାଇଁ ମନ୍ତ୍ର ଦେବେ।

ତେବେ ବିଜେଡି ଓ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳ ନେତା କିମ୍ୱା ବିଜେଡିର କୌଣସି ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି। ବିଧାନସଭା ପରିସରରେ ଏହି କାର୍ଯ୍ଯକ୍ରମରେ ସାଧାରଣ ବକ୍ତା ଭାବେ ଯୋଗ ଦେବା ମୁଖ୍ଯମନ୍ତ୍ରୀ ପଦର ମର୍ଯ୍ଯାଦା ହାନି କରୁଛି । ସଂଘୀୟ ବ୍ଯବସ୍ଥା ଅନୁସାରେ କେନ୍ଦ୍ରମନ୍ତ୍ରୀ ପାହ୍ଯାର ଉପରେ ରହିଥାଏ ମୁଖ୍ଯମନ୍ତ୍ରୀଙ୍କ ପାହ୍ୟା । ଏହି କାର୍ଯ୍ଯକ୍ରମରେ ମୁଖ୍ଯମନ୍ତ୍ରୀଙ୍କ ପଦ ମର୍ଯ୍ଯାଦା କେନ୍ଦ୍ରମନ୍ତ୍ରୀଙ୍କ ପରେ ରହିଛି । ଯାହାକୁ ବିରୋଧ କରି କାର୍ଯ୍ୟକ୍ରମକୁ ବୟକଟ କରିଛି ବିଜେଡି । ଅନ୍ୟପଟେ ବିଜେପି କହିଛି ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ। ପ୍ରସଙ୍ଗକୁ ଅପ୍ରସଙ୍ଗ କରି ନୂଆଁ ବିଧାୟକଙ୍କୁ ଏହି କାର୍ଯ୍ୟକ୍ରମରୁ ବଞ୍ଚିତ କରାଯାଉଛି ବୋଲି ବିଜେପି କହିଛି।