ଦିଗଦର୍ଶନ କାର୍ଯ୍ୟକ୍ରମ ପଦ୍ଧତି ଅଗଣତାନ୍ତ୍ରିକ, ବିଜେଡି ଓ କଂଗ୍ରେସର ବୟକଟ

ଭୁବନେଶ୍ବର: ବିଧାନସଭାରେ ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ଯକ୍ରମକୁ ବିଜେଡି ଓ କଂଗ୍ରେସ କରିବେ ବୟକଟ । ବିଧାନସଭା ପରମ୍ପରାକୁ ଭାଙ୍ଗି ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ କରାଯାଉଥିବାରୁ ଏହାକୁ ବିରୋଧ କରି ଦୁଇ ବିରୋଧୀ ଦଳ ଅଂଶଗ୍ରହଣ ନକରିବାକୁ ନେଇଛନ୍ତି ନିଷ୍ପତ୍ତି । ବିଧାନସଭାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟୋକଲକୁ ଉଲ୍ଲଘଂନ କରାଯାଇ ମର୍ଯ୍ୟାଦା ଭଙ୍ଗ କରାଯାଇଛି । ଦିଗଦର୍ଶନ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବାକୁ ବିଜେଡି ଓ କଂଗ୍ରେସ ବିରୋଧ କରିଛନ୍ତି । ଅନ୍ୟପଟେ ଏ ପ୍ରସଙ୍ଗରେ ଶାସକ ଦଳ ସଫେଇ ଦେଇ କହିଛି, କୌଣସି ପରମ୍ପରା ଭଙ୍ଗ ହୋଇନାହିଁ ।

ପରମ୍ପରା ଭାଙ୍ଗୁଛ । ଅଗଣତାନ୍ତ୍ରିକ ପଦ୍ଧତିରେ ଦିଗଦର୍ଶନ କାର୍ଯ୍ୟକ୍ରମ କରାଯାଉଛି । ମୁଖ୍ଯମନ୍ତ୍ରୀଙ୍କ ପଦ ମର୍ଯ୍ୟାଦାକୁ ମଧ୍ଯ କରଯାଇଛି କ୍ଷୁଣ୍ଣ । ଏପରି ଅଭିଯୋଗ ଆଣି କାଲିଠୁ ଆରମ୍ଭ ହେଉଥିବା ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହେବେନି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ବିଜେଡି ଅଭିଯୋଗ କରିଛି ବାଚସ୍ପତି ଓ ମୁଖ୍ଯମନ୍ତ୍ରୀ ଥାଉ ଥାଉ କାହିଁକି କେନ୍ଦ୍ରମନ୍ତ୍ରୀ ଦିଗଦର୍ଶନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଏହା କ’ଣ ଓଡିଆ ଅସ୍ମିତା ? ବିଧାନସଭା ପରିସରରେ ଏହି କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ ସାଧାରଣ ବକ୍ତା ଭାବେ ଯୋଗ ଦେବା ତାଙ୍କ ପଦର ମର୍ଯ୍ଯାଦା ହାନୀ କରୁଛି । ସଂଘୀୟ ବ୍ଯବସ୍ଥା ଅନୁସାରେ କେନ୍ଦ୍ରମନ୍ତ୍ରୀ ପାହ୍ଯାର ଉପରେ ରହିଥାଏ ମୁଖ୍ଯମନ୍ତ୍ରୀଙ୍କ ପାହ୍ୟା । ଏହି କାର୍ଯ୍ଯକ୍ରମରେ କିନ୍ତୁ ମୁଖ୍ଯମନ୍ତ୍ରୀଙ୍କ ପଦ ମର୍ଯ୍ଯାଦା କେନ୍ଦ୍ରମନ୍ତ୍ରୀଙ୍କ ପରେ ରହିଛି । ଯାହାକୁ ବିରୋଧ କରି ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହେବନି ମୁଖ୍ୟ ବିରୋଧୀ ବିଜେଡି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବାଚସ୍ପତିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ବିଜେଡିର ଯୁକ୍ତି ହେଉଛି ବିଧାନସଭାର ପରମ୍ପରା ଭାଙ୍ଗି ଅଗଣତାନ୍ତ୍ରିକ ଭାବେ କାର୍ଯ୍ୟକ୍ରମ କରାଯାଉଥିବାରୁ ଏଥିରେ ଦଳ ସାମିଲ ହେବ ନାହିଁ ।

ସେପଟେ କଂଗ୍ରେସର ଅଭିଯୋଗ ହେଉଛି ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବାକୁ ନେଇ ବିଜେପି ରାଜନୀତି କରୁଛି । ବିଧାନସଭାର ପରମ୍ପରା ଭଙ୍ଗ କରି ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ କରାଯାଉଛି । ବିଧାନସଭା କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା କେତେଦୂର ଯୁକ୍ତିଯୁକ୍ତି ବୋଲି କଂଗ୍ରେସ ବିଧାୟକ ରାଜେନ ଏକ୍କା ପ୍ରଶ୍ନ କରିଛନ୍ତି ।

ଶାସକ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ଯୁକ୍ତି ବାଢିଛି । ଦଳୀୟ ଭିତ୍ତିରେ କୌଣସି କାର୍ଯ୍ୟକ୍ରମ କରାଯାଉନାହିଁ ବୋଲି କହିବା ସହ ଏହାକୁ ନେଇ ବିରୋଧୀ ରାଜନୀତି କରୁଥିବା କହିଛି ।

ସପ୍ତଦଶ ବିଧାନସଭାକୁ ପ୍ରଥମ ଥର ପାଇଁ ୮୪ ଜଣ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି । ବିଜେପିରୁ ସର୍ବାଧିକ ୫୪ ଜଣ, ବିଜେଡିର ୧୮ ଜଣ, କଂଗ୍ରେସର ୯ ଜଣ ଓ ୩ ଜଣ ସ୍ବାଧୀନ ବିଧାୟକ ପ୍ରଥମ ଥର ନିର୍ବାଚିତ ହୋଇ ଆସିଛନ୍ତି । ହେଲେ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମକୁ ଶାସକ ବିଜେପି, ଦଳୀୟ କାର୍ଯ୍ୟକ୍ରମ କରିଥିବାରୁ ଏହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ ।