ତେନ୍ତୁଳିଖୁଣ୍ଟି ପାକ୍ସରେ ଧାନ ବିକ୍ରିକୁ ବର୍ଷେ ପୂରିଲା, ଚାଷୀଙ୍କୁ ମଳିଲାନି ଏପର୍ଯ୍ୟନ୍ତ ଟଙ୍କା

ବଲାଙ୍ଗୀର: ପାକ୍ସରେ ଧନ ବିକ୍ରି କରି ପସ୍ତାଉଛନ୍ତି ଚାଷୀ । ବର୍ଷେ ପୂର୍ବରୁ ପାକ୍ସରେ ଖରିଫ ଧାନ ବିକ୍ରି କରିଥିଲେ । ହେଲେ ଏପର୍ଯ୍ୟନ୍ତ ମିଳିଲାନି ଚାଷୀଙ୍କୁ ତାଙ୍କ ଧାନର ପ୍ରାପ୍ୟ । ଏମିତି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ତେନ୍ତୁଳିଖୁଣ୍ଟି ପାକ୍ସରୁ । ଏ ସମ୍ପର୍କରେ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚାଷୀ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି ।

ଚାଷୀ ବିପିନ ରଣା । ବର୍ଷେ ପୂର୍ବେ ଖରିଫ ଧାନ ବିକ୍ରି ପାଇଁ ଟୋକନ ପାଇବା ପରେ ତେନ୍ତୁଲିଖୁଣ୍ଟି ପାକ୍ସରେ ପ୍ରାୟ ୧୫ କ୍ଵିଣ୍ଟାଲ୍ ଧାନ ମଣ୍ଡିକୁ ଦେଇଥିଲେ । ସେ ସମୟରେ ବିପିନଙ୍କ ଗୋଟିଏ ଆଖି ଖରାପ ଥିବାରୁ କମ୍ପୁଟର ରିଡ୍ କରିପାରୁ ନଥିଲା । ମଣ୍ଡିରେ ଧାନ ଓଜନ କରି ନେବା ପରେ ପାକ୍ସର ଡାଟା ଏଣ୍ଟ୍ରି ଅପରେଟର ଟଙ୍କା ପୁଅ ଆକାଉଣ୍ଟକୁ ପଳେଇବ କହିଥିଲେ । ୭ ଦିନ ମଧ୍ୟରେ ଟଙ୍କା ପହଞ୍ଚିଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ୭ ଦିନ ଯାଇ ବର୍ଷେ ହେଲାଣି । ହେଲେ ଏଯାଏଁ ଆସିଲାନି ଟଙ୍କା । ସେହିଭଳି ଅନ୍ଯ ଜଣେ ଚାଷୀ ହେଲେ ଭଗବାନ ମାଝୀ । ମଣ୍ଡିରୁ ଟୋକନ ପାଇବା ପରେ ଭଗବାନ ୪୦ କ୍ଵିଣ୍ଟାଲ୍ ଧାନ ପାକ୍ସକୁ ନେଇଥିଲେ । ତାଙ୍କୁ ମଧ୍ଯ ବର୍ଷେ ହେବ ଟଙ୍କା ମିଳିନି । ଜଣେ କି ଦୁଇ ଜଣ ନୁହେଁ, ତେନ୍ତୁଳିଖୁଣ୍ଟି ମଣ୍ଡିରେ ୫ରୁ ୬ ଜଣ ଚାଷୀ ଧାନ ବିକ୍ରି କରି ପାଉଣା ପାଇନାହାଁନ୍ତି ।

ମିଳିଥିବା ସୂଚନା ଅନୁସାରେ ଧାନ କିଣା ସମୟରେ ପାକ୍ସର ସମ୍ପାଦକ ରୋଗରେ ପଡିଥିଲେ । ତେଣୁ ସମସ୍ତ ଧାନ କିଣା ବିକା ଦାୟିତ୍ବ ପାକ୍ସ ଡାଟା ଏଣ୍ଟ୍ରି ଅପରେଟର ନେଇଥିଲେ । ହେଲେ ଦୀର୍ଘ ଦିନ ଧରି ଚାଷୀମାନେ ଟଙ୍କା ନପାଇବାରୁ ଟିଟିଲାଗଡ ଏଆରସିଏସ ଓ ବଲାଙ୍ଗୀର ଡିଆରସିଏସଙ୍କୁ ଅଭିଯୋଗ କରିଥିଲେ । ବର୍ତ୍ତମାନ କାର୍ଯ୍ୟରେ ଥିବା ପାକ୍ସ ସମ୍ପାଦକଙ୍କୁ ପଚାରିବାରୁ, ଅଭିଯୋଗ ହୋଇଛି ହେଲେ ପାକ୍ସର କୌଣସି କାଗଜପତ୍ରରେ ଅଭିଯୋଗକାରୀ ଚାଷୀଙ୍କ ତଥ୍ଯ ନାହିଁ । ସେ ସମୟର ଡାଟା ଏଣ୍ଟ୍ରି ଅପରେଟର କାମକୁ ଆସୁନାହାନ୍ତି କି ଫୋନ ମଧ୍ୟ ଉଠାଉନାହାନ୍ତି ବୋଲି କହିଛନ୍ତି ।

ଘଟଣା ସମ୍ପର୍କରେ ପଚରାଯିବାରୁ ଟିଟିଲାଗଡ଼ ଉପଜିଲ୍ଲାପାଳ କହିଛନ୍ତି ଶୀଘ୍ର ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ ।

କିଛିଦିନ ପୂର୍ବେ ଟିଟିଲାଗଡ ବିଜେପୁର ପାକ୍ସରେ ଚାଷୀଙ୍କ ରେଜିଷ୍ଟ୍ରେଶନ୍ ପାଇଁ ୧୦୦ ଟଙ୍କା ସଂଗ୍ରହ କରୁଥିବା ଏକ ଖବର ପ୍ରସାରଣ ହୋଇଥିଲା । ଗୋଟିଏ ଅଭିଯୋଗର ତଦନ୍ତ ନସରୁଣୁ ଆଉ ଏକ ଅଭିଯୋଗ ବଲାଙ୍ଗୀର ଜିଲ୍ଲାରେ ଚାଷୀଙ୍କ ସମସ୍ଯାକୁ ଅଧିକ ବଢାଇଦେଇଛି ।