ବିଶ୍ବରେ କାୟା ମେଲାଉଛି ଏମପକ୍ସ, ସୁଇଡେନ ପରେ ପାକିସ୍ତାନରେ ଠାବ

ନନ୍ଦିଘୋଷ ବ୍ୟୁରୋ : ଧୀରେ ଧୀରେ ବିଶ୍ବରେ କାୟା ମେଲାଉଛି ଏମପକ୍ସ। ସୁଇଡେନ ପରେ ପାକିସ୍ତାନରେ ଠାବ ହୋଇଛନ୍ତି ୩ ରୋଗୀ। ଖାଇବର ପାଖତୁନଖାୱାରେ ଏହି ସଂକ୍ରମିତ ଠାବ ହୋଇଛନ୍ତି। ପାରସ୍ପରିକ ସମ୍ପର୍କ ଜରିଆରେ ଏମପକ୍ସ ଭାଇରସ ସଂକ୍ରମିତ ହେଉଛି। ପାକିସ୍ତାନରୁ ଚିହ୍ନଟ ରୋଗୀମାନେ ସଂଯୁକ୍ତ ଆରବ ଏମିରେଟସରୁ ଆସିଥିବା ସୂଚନା ମିଳିଛି। ପୂର୍ବରୁ ଏମପକ୍ସକୁ ନେଇ ଆଲର୍ଟ ଜାରି କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଏମପକ୍ସକୁ ଏକ ବିଶ୍ବସ୍ତରୀୟ ସାଧାରଣ ସ୍ବାସ୍ଥ୍ୟ ଏମର୍ଜେନସି ଘୋଷଣା କରିଥିଲା ସଂଗଠନ। ଗତ ୨ ବର୍ଷ ମଧ୍ଯରେ ଦ୍ବିତୀୟ ଥର ଲାଗି ଏମପକ୍ସକୁ ନେଇ ସଂଗଠନ ଏହି ଘୋଷଣା କରିଛି। ଡେମୋକ୍ରାଟିକ ରିପବ୍ଲିକ କଙ୍ଗୋ ଓ ପଡୋଶୀ ରାଷ୍ଟ୍ରରେ ଏହି ଭାଇରସ ବ୍ଯାପୁଥିବା ସୂଚନା ମିଳିବା ପରେ ଉଦବେଗ ପ୍ରକାଶ କରିଥିଲା ସଂଗଠନ। ପୂର୍ବରୁ ପାକିସ୍ତାନରେ ଏମପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିବା ସତ୍ତ୍ବେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିଲା। ଗତ ଗୁରୁବାର ସୁଇଡେନରେ ପ୍ରଥମ ଥର ଲାଗି ଏମପକ୍ସ ଭାଇରସ ଚିହ୍ନଟ ହୋଇଥିଲା। ବୁରୁଣ୍ଡି, କେନିଆ, ରାୱାଣ୍ଡା, ଉଗାଣ୍ଡା ଆଦି ଦେଶରେ ଅନେକ ରୋଗୀ ହେଲେଣି ସଂକ୍ରମିତ।