ଆଜିଠୁ ବିଜେଡିର ଜନଜାଗରଣ ଅଭିଯାନ, ପ୍ରତି ପଞ୍ଚାୟତରେ ଲୋକଙ୍କୁ ସଚେତନ କରିବ ଦଳ

ଭୁବନେଶ୍ବର : ୫୫ ଲକ୍ଷ ଭତ୍ତା ହିତାଧିକାରୀଙ୍କୁ ପ୍ରତାରିତ କରିଛି ବିଜେପି ସରକାର । ସରକାର ଗଢିବା ପରେ ପାଣିର ଗାର ପାଲଟିଯାଇଛି ୩ ହଜାର ଟଙ୍କାର ଭତ୍ତା ପ୍ରତିଶୃତି । ରାଜ୍ଯର ବରିଷ୍ଠ ନାଗରିକଙ୍କ ସହ ଭତ୍ତା ପ୍ରତାରଣା ବିରୋଧରେ ଆଜିଠୁ ବିଜେଡି ଆରମ୍ଭ କରୁଛି ଜନଜାଗରଣ କାର୍ଯ୍ୟକ୍ରମ । ବୟୋଜ୍ଯେଷ୍ଠ ଅଧିକାର ପାଇଁ ଆଗକୁ ଆସି ପ୍ରତି ପଞ୍ଚାୟତରେ ଲୋକଙ୍କୁ ସଚେତନ କରିବ ଦଳ । ପ୍ରତିଟି କର୍ମୀ ଓ ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ସମ୍ପର୍କରେ ସଚେତନ କରିବେ । ନିର୍ବାଚନ ପୂର୍ବରୁ ବିଜେପି ନିଜ ଘୋଷଣାପତ୍ରରେ ରାଜ୍ଯର ଭତ୍ତାଧାରୀଙ୍କୁ ମାସିକ ୩ ହଜାର ଓ ୩ ହଜାର ୫୦୦ ଟଙ୍କା ପ୍ରଦାନ କରିବ ବୋଲି ପ୍ରତିଶୃତି ଦେଇଥିଲା । ମାତ୍ର କ୍ଷମତାକୁ ଆସିବା ପରେ ଏଥିପାଇଁ ପଛଘୁଞ୍ଚା ଦେଇଛନ୍ତି । ବଜେଟରେ କେବଳ ୮୦ ବର୍ଷରୁ ଅଧିକ ଓ ୮୦ପ୍ରତିଶତ ଅକ୍ଷମଙ୍କୁ ୩ ହଜାର ୫୦୦ ଟଙ୍କା ଦେବାକୁ ବ୍ଯବସ୍ଥା କରିଛନ୍ତି । ଫଳରେ ରାଜ୍ଯର ୯୦ ପ୍ରତିଶତ ଅର୍ଥାତ ପ୍ରାୟ ୫୫ ଲକ୍ଷ ବୃଦ୍ଧବୃଦ୍ଧା, ଦିବ୍ଯାଙ୍ଗ, ବିଧବା ଓ ନିରାଶ୍ରୟ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହେବେ । ରାଜ୍ଯ ସରକାର ଚଳିତବର୍ଷ ୪୫ ହଜାର କୋଟି ଟଙ୍କା ଋଣ ନେବେ ବୋଲି ବୋଲି ବଜେଟରେ ପ୍ରକାଶ କରିଛନ୍ତି । ଏତେ ପରିମାଣର ଋଣ ନେଇ ବି ସରକାର ନିର୍ବାଚନୀ ପ୍ରତିଶୃତି ପୂରଣ କରିବାରେ ଅସମର୍ଥ । ଏଥିରୁ ବିଜେପିର ନିର୍ବାଚନୀ ପ୍ରତିଶୃତି ପାଣିର ଗାର ବୋଲି ସ୍ପଷ୍ଟ । ରାଜ୍ଯବାସୀଙ୍କ ସହ ବିଜେପିର ପ୍ରତାରଣାକୁ ବିଜେଡି ବରଦାସ୍ତ ନକରି ଜନଜାଗରଣ କାର୍ଯ୍ଯକ୍ରମ ଆରମ୍ଭ କରିଛି । ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ଗାଁ ଗାଁରେ ଦଳ ଲଢ଼େଇ ଆରମ୍ଭ କରିଛି ।