କାଲିଠୁ ଜନ ଜାଗରଣ ଅଭିଯାନ ଜରିଆରେ ବିଜେପିର ମିଛ ପ୍ରତିଶ୍ରୁତିର ମୁଖା ଖୋଲିବ ବିଜେଡି

ଭୁବନେଶ୍ବର: କାଲିଠୁ ବିଜେଡି କରିବ ଜନ ଜାଗରଣ ଅଭିଯାନ। ପ୍ରତି ପଞ୍ଚାୟତରେ ବିଜେପି ସରକାରର ମିଛ ପ୍ରତିଶୃତି ବିରୋଧରେ ଜନସାଧାରଣଙ୍କୁ କରିବ ସଚେତନ । ୭ ଦିନ ଭିତରେ ରାଜ୍ୟର ସମସ୍ତ ପଞ୍ଚାୟତ ଓ ନିର୍ବାଚନ ମଣ୍ଡଳୀରେ କରାଯିବ କାର୍ଯ୍ୟକ୍ରମ । ଗାଁକୁ ଗାଁ ବୁଲି ବିଜେପିର ଅସଲ ମୁଖା ଖୋଲିବାକୁ ପୂରା ପ୍ରସ୍ତୁତ ବିଜେଡି । ଭତ୍ତାଧାରୀଙ୍କ ମାସିକ ଭତ୍ତାକୁ ୩ ହଜାର ଓ ୩ ହଜାର ୫ ଶହକୁ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଥିଲା ବିଜେପି । କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରି ପ୍ରହେଳିକା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ବିଜେପି ଜୁମଲାକୁ ବିରୋଧ କରି ଏହି ରଣହୁଙ୍କାର ଦେଇଛି ବିଜେଡି ।

ପଦାରେ ପଡିଛି ବିଜେପିର ମିଛ ପ୍ରତିଶ୍ରୁତି । ନିର୍ବାଚନ ବେଳେ ଦଳ ଅନେକ ବଡ଼ ବଡ଼ ପ୍ରତିଶୃତି ଦେଇଥିଲା । ଏବେ ସବୁକୁ ଭୁଲିଗଲା ବିଜେପି ସରକାର । ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩ ହଜାର ଓ ୩ ହଜାର ୫ ଶହ ଟଙ୍କା ଭତ୍ତା ଦେବ ବୋଲି କହିଥିଲା । ହେଲେ ବଜେଟରେ କେବଳ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦ ପ୍ରତିଶତ ଅକ୍ଷମତା ଥିବା ଦିବ୍ୟାଙ୍ଗ ଏହି ବର୍ଦ୍ଧିତ ଭତ୍ତା ପାଇବା ବ୍ୟବସ୍ଥା କରାଯାଇଛି । ଯାହାଦ୍ବାରା ୫୨ ଲକ୍ଷ ଭତ୍ତାଧାରୀ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହେବେ । ଭତ୍ତାଧାରୀ ବୟସ୍କ ତଥା ରାଜ୍ୟବାସୀଙ୍କ ସହ ପ୍ରତାରଣା କରିଛି ବିଜେପି ସରକାର । ବିଜେପିର ଏଭଳି ଚଞ୍ଚକତାକୁ ବିରୋଧ କରି ରଣହୁଙ୍କାର ଦେଇଛି ବିଜେଡି । ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ଗାଁ ଗାଁରେ ଲଢ଼େଇ କରିବ ଦଳ । ଏଥିପାଇଁ ଆସନ୍ତାକାଲିଠାରୁ କରାଯିବ ଜନ ଜାଗରଣ ଅଭିଯାନ । ଏନେଇ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସମସ୍ତ କର୍ମୀ ତଥା ସଚେତନ ନାଗରିକ ଏହି ଅଭିଯାନରେ ସାମିଲ ହୋଇ ବିଜେପିର ଧୋକାବାଜି ବିରୋଧରେ ଜନତାଙ୍କୁ କରିବେ ଜାଗ୍ରତ । ରାଜ୍ୟ ସରକାର ଭତ୍ତା ଭେଳିକି ବନ୍ଦ ନ କଲେ, ଆନ୍ଦୋଳନ ପାଇଁ ସଜ୍ଜବାଜ ହେବେ ନବୀନ ବ୍ରିଗେଡ୍ ।

ସଂସଦରୁ ବିଧାନସଭା ଯାଏଁ ବିଜେପିର ଜୁମଲା ଶାସନ ବିରୋଧରେ ସ୍ବର ଉଠାଇ ଚାଲିଛି ବିଜେଡି । ଅନେକ ନିର୍ବାଚନୀ ପ୍ରତିଶୃତି ଦେଇଛି ବିଜେପି । ହେଲେ ପୂରଣ କରିବା ସମୟରେ ତୁଣ୍ଡିରେ ତାଲା ପଡ଼ିଥିବା ଅଭିଯୋଗ କରିଛି ବିଜେଡି । ନା ମିଳିଛି ୩୦୦ ୟୁନିଟ ମାଗଣା ବିଜୁଳି ନା ଠିକ୍ ଭାବେ ବର୍ଦ୍ଧିତ ଭତ୍ତା ପାଇବେ ଯୋଗ୍ୟ ହିତାଧିକାରୀ । ନବୀନ ସରକାରଙ୍କ ଯୋଜନାକୁ କପି କରି କେବଳ ନାଁ ଓ ରଙ୍ଗ ପରିବର୍ତ୍ତନରେ ଲାଗିଛି ବିଜେପି । ଏବେ ନିର୍ବାଚନୀ ପ୍ରତିଶୃତି ପୂରଣ କରିବାକୁ ମୋହନ ସରକାରଙ୍କୁ ଆହ୍ବାନ ଦେଇଛି ବିଜେଡି ।

ଜନ ଜାଗରଣ ଅଭିଯାନକୁ ଅଧିକ ଶାଣିତ କରିବାକୁ ସମନ୍ବୟ କମିଟି ବୈଠକରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ବିଜେଡି । ଲୋକଙ୍କ ପାଖରେ ସଠିକ୍ ବାର୍ତ୍ତା ପହଞ୍ଚୁଛି ନା ନାହିଁ ତାର ତଦାରଖ କରିବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ ।

କଂଗ୍ରେସ କହିଲା ବିଜେପି ପ୍ରଚାର ସର୍ବସ୍ବ ଦଳ

ଆସନ୍ତାକାଲି ଠାରୁ ବିଜେଡିର ଜନ ଜାଗରଣ ଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଦଳ ଦୃଷ୍ଟିରୁ ବିଜେଡି ତାଙ୍କ କର୍ତ୍ତବ୍ୟ କରୁଛନ୍ତି । କିନ୍ତୁ ବିଜେପି ଯେଉଁ ପ୍ରତିକ୍ରିୟା ରଖିଛି ତାକୁ ସମାଲୋଚନା କରିଛି କଂଗ୍ରେସ । କହିଛି, କେନ୍ଦ୍ର ହେଉ କି ରାଜ୍ଯ ବିଜେପି ଏହା ଏକ ପ୍ରଚାର ସର୍ବସ୍ୱ ଦଳ । ଶାସନ ସମୟରେ ସେମାନେ ସାଧାରଣ ଲୋକଙ୍କ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । ଅସତ୍ୟ ବଖାଣିବାରେ କିଏ ଯଦି ଗୋଲଡ ମେଡାଲ ପାଇବେ ସେ ହେଉଛି ବିଜେପି ଦଳ । ନିର୍ବାଚନରେ ସଂଖ୍ୟା ଗରିଷ୍ଠତା କିଭଳି ପାଇଛନ୍ତି ସେମାନେ ନିଜେ ବି ଜାଣି ନାହାନ୍ତି ବୋଲି କଟାକ୍ଷ କରିଛି କଂଗ୍ରେସ । ଦଳ ପକ୍ଷରୁ କୁହାଯାଇଛି, ଲୋକ ସବୁ ଜାଣିସାରିଲେଣି । ଲୋକ ଏତେ ଶୀଘ୍ର ପରିବର୍ତ୍ତନର ଆଭାସ ଦିଅନ୍ତି ନାହିଁ ଯାହା ଏବେ ତୃଣମୂଳସ୍ତରରେ ଦେଖିବାକୁ ମିଳୁଛି । ବିଜେପି ଯେଉଁଠି ଯେଉଁ ରାଜ୍ୟରେ ରହିଛି ସବୁଆଡେ କେବଳ ପ୍ରଚାରରେ ବ୍ଯସ୍ତ ରହିଛି । ଶାସନ ଠିକ ଭାବେ କରନ୍ତି ନାହିଁ । ତଳସ୍ତରର ଲୋକଙ୍କ ଉନ୍ନତି ପାଇଁ ବିଜେପି କାମ କରେ ନାହିଁ । କେବଳ କିଛି ଶିଳ୍ପପତିଙ୍କ ପାଇଁ ବିଜେପି କାମ କରେ । ତେଣୁ ସେମାନେ ଯାହା କହିଲେ ବି ଲୋକେ ଆଉ ବିଶ୍ୱାସ କରିବେ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ ।