ପଶ୍ଚିମବଙ୍ଗ ସରକାରଙ୍କୁ ଆଳୁ ବ୍ୟବସାୟୀଙ୍କ ଅଲଟିମେଟମ୍, ଚିନ୍ତାରେ ଓଡ଼ିଶା

ଭବନେଶ୍ବର: ରାଜ୍ୟରେ ଆହୁରି ଘନେଇ ପାରେ ଆଳୁ ସଙ୍କଟ । ପଶ୍ଚିମବଙ୍ଗର ପ୍ରମୁଖ ଆଳୁ ବ୍ୟବସାୟୀଙ୍କ ସମେତ ଚାଷୀ, ଶୀତଳ ଭଣ୍ଡାର ମାଲିକଙ୍କ ସମନ୍ୱୟ ବୈଠକରେ ପଶ୍ଚିମବଙ୍ଗ ସରକାରଙ୍କୁ ଦିଆଯାଇଛି ଅଲଟିମେଟମ । ବ୍ୟବସାୟୀଙ୍କ ପକ୍ଷରୁ ୪୮ ଘଣ୍ଟିଆ କଣ୍ଟ ଦିଆଯାଇଥିବା ବେଳେ ସେଥିରୁ ୨୪ ଘଣ୍ଟା ବିତି ସାରିଲାଣି । ପଶ୍ଚିମବଙ୍ଗ ସରକାର ଯଦି ସ୍ୱାଭାବିକ ଭାବେ ଆଳୁ ନ ଛାଡ଼ନ୍ତି ତାହେଲେ ଆଳୁ ଆଉ ବିକିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସେଠାକାର ବ୍ୟବସାୟୀ ।

ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାହାରକୁ ମଧ୍ୟ ଆଳୁ ଦିଆଯିବନି ବୋଲି ବ୍ୟବସାୟୀ ଚେତାବନୀ ଦେଇଛନ୍ତି । ଫଳରେ ଓଡ଼ିଶାକୁ ଚୋରାରେ ଆସୁଥିବା ଆଳୁ ଗାଡି ମଧ୍ୟ ଆଉ ମିଳିବ ନାହିଁ । ଏବେ ବି ଓଡ଼ିଶାର ଆଳୁ ଆବଶ୍ୟକତାର ୬୦ ପ୍ରତିଶତରୁ ଅଧିକ ପଶ୍ଚିମବଙ୍ଗ ପୂରଣ କରୁଛି । ଚୋରାରେ ମଧ୍ୟ ୬୦ ପ୍ରତିଶତ ଆଳୁ ଆବଶ୍ୟକତା ପୂରଣ କରୁଛି ପଶ୍ଚିମବଙ୍ଗ । ଯଦି ବ୍ୟବସାୟୀଙ୍କ କଣ୍ଟ ପରେ ବି ପଶ୍ଚିମବଙ୍ଗ ସରକାର କଟକଣା ନ ହଟାନ୍ତି ତେବେ ଓଡ଼ିଶାକୁ ଚୋରାରେ ମଧ୍ୟ ଆଳୁ ଆସିପାରିବ ନାହିଁ ।

ଯାହାକୁ ଆଖି ଆଗରେ ରଖି ଓଡିଶା ବ୍ୟବସାୟୀ ମହାସଂଘ ବିକଳ୍ପ ବ୍ୟବସ୍ଥା କରୁଥିବା କହିଛନ୍ତି ମହାସଂଘ ମହାସଚିବ ସୁଧାକର ପଣ୍ଡା । ସେଥିପାଇଁ ୟୁପି ବାଟ ଖୋଲିକି ରଖାଯାଇଛି । ପାଗ ଟିକେ ମେଘୁଆ ରହୁଥିବାରୁ ୟୁପି ଆଳୁ ସେତେଟା ପଚୁ ନାହିଁ । ଯଦି ପଶ୍ଚିମବଙ୍ଗରୁ ଆଳୁ ନଆସେ ଓଡିଶା ଲୋକେ ୟୁପି ଆଳୁ ନେବାକୁ ବାଧ୍ୟ ହେବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ୟୁପିକୁ ଅଧିକ ପରିମାଣର ଆଳୁ ଅର୍ଡର କରାଯିବ ।

ସରକାର ଏବେ ଏ ନେଇ ପ୍ରସ୍ତୁତ ରହିବା ଦରକାର ବୋଲି କହିଛି ବ୍ୟବସାୟୀ ମହାସଂଘ । ସଂଘ ପକ୍ଷରୁ କୁହାଯାଇଛି, ସରକାର ଏ ନେଇ ଚିନ୍ତା କରିବା ଦରକାର । ସରକାରଙ୍କୁ କିନ୍ତୁ ବ୍ୟବସାୟୀମାନେ କିଛି ଜଣାଇବାକୁ ଚାହୁଁ ନାହାନ୍ତି । ବ୍ୟବସାୟୀ କିଛି କହିଲେ ସରକାର ବଦନାମ କରୁଛନ୍ତି ବୋଲି କହିଛି ବ୍ୟବସାୟୀ ମହାସଂଘ ।