ରାଉରକେଲାରେ ପରେଡ ପରେ ଅସୁସ୍ଥ ହୋଇଗଲେ ୧୩ ଛାତ୍ରୀ

1 min read

ରାଉରକେଲା: ଆଜି ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ । ଏହି ଅବସରରେ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ରାଉରକେଲାରେ ମଧ୍ୟ ସ୍ବାଧୀନତା ଦିବସକୁ ନେଇ କାର୍ଯ୍ୟକ୍ରମ ଚାଲିଥିଲା । ସେକ୍ଟର- ୨୨ ଷ୍ଟାଡିୟମରେ ହୋଇଥିବା ପରେଡରେ ଅଘଟଣ ଦେଖିବାକୁ ମିଳିଛି । ପରେଡ ପରେ ପଡ଼ିଆରେ ଛିଡା ହୋଇଥିବା ୧୩ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି ।

ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ସେକ୍ଟର-୨୨ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅସୁସ୍ଥ ଛାତ୍ରୀମାନଙ୍କ ବୟସ ୧୧ ବର୍ଷରୁ ୧୪ ବର୍ଷ ମଧ୍ଯରେ । ଖରା ଓ ଗୁଳୁଗୁଳି ପାଇଁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ରାଉରକେଲା ଇସ୍ପାତ କାରଖାନା ପିଆର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସେକ୍ଟର-୨୨ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ପରେଡରେ ଏହି ପିଲାମାନେ ସାମିଲ ହୋଇଥିଲେ ।