ଲାଲକିଲ୍ଲାରେ ଫରଫର ଉଡିଲା ଜାତୀୟ ପତାକା

1 min read

ନୂଆଦିଲ୍ଲୀ : ଲାଲକିଲ୍ଲାରେ ଉଡିଲା ତ୍ରିରଙ୍ଗା  । ୭୮ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପତାକା ଉତ୍ତୋଳନ ପରେ ଜନ-ଗଣ-ମନ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଚର୍ତୁପାଶ୍ୱ । ବାୟୁସେନା ପକ୍ଷରୁ ଆକାଶ ମାର୍ଗରୁ ପୁଷ୍ପବର୍ଷା ମଧ୍ୟ କରାଯାଇଛି । ଏହା ପରେ ଦେଶବାସୀଙ୍କୁ ସମ୍ୱୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ଚଳିତ ବର୍ଷ ସ୍ୱାଧୀନତା ଦିବସର ଥିମ ରହିଛି ‘ବିକଶିତ ଭାରତ- ୨୦୪୭’ । ସ୍ବାଧୀନତା ଦିବସ ପାଳନ ଅବସରରେ ୬ ହଜାରରୁ ଅଧିକ ସ୍ବତନ୍ତ୍ର ଅତିଥି ଯୋଗଦେଇଥିଲେ। । ପ୍ରଧାନମନ୍ତ୍ରୀ ଭାବେ ୧୧ଥର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୋଦି ।

ଦେଶର ଆଜାଦୀ ପାଇଁ ବୀରମାନଙ୍କ ତ୍ୟାଗକୁ ସେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଅଭିଭାଷଣରେ କହିଛନ୍ତି, ବିକଶିତ ଭାରତ ୨୦୪୭ ଗଠନ ଦିଗରେ ଭାରତ। ଦଳିତ, ଆଦିବାସୀ, ସହରବାସୀ, କୃଷକଙ୍କ ବିକାଶ ଲାଗି ଲକ୍ଷ୍ଯ ରଖିଛନ୍ତି ସରକାର। ଦକ୍ଷ ଯୁବପିଢି ଜରିଆରେ ଆତ୍ମନିର୍ଭର ଭାରତ ସୃଷ୍ଟି ଲକ୍ଷ୍ଯ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲଗାତାର ୧୧ଥର ଲାଗି ଲାଲକିଲ୍ଲାରୁ ଉଦବୋଧନ ଦେଇ ମୋଦି କହିଛନ୍ତି, ସଂଗ୍ରାମୀମାନଙ୍କ ନିକଟରେ ଦେଶବାସୀ ଋଣୀ। ରାଷ୍ଟ୍ର ନିର୍ମାଣ ଲାଗି ପ୍ରତିବଦ୍ଧତାର ସହ ସଂଗ୍ରାମ ଜାରି ରହିଛି। ପ୍ରତିଭାର ବିକାଶ କ୍ଷେତ୍ରରେ ଭାଷାର ପ୍ରତିବନ୍ଧକ ନ ରହୁ। କିଛି ବର୍ଷ ଧରି ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଘଟିଚାଲିଛି। ବିପର୍ଯ୍ୟୟରେ ଦେଶବାସୀ ଅନେକ କିଛି ହରାଇଛନ୍ତି। ମହିଳା, ଆଦିବାସୀ ସ୍ବାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଛନ୍ତି। ୧୪୦ କୋଟି ନାଗରିକଙ୍କ ମହାନ ସଂକଳ୍ପ ନେଇ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସେ ଆହ୍ବାନ ଦେଇଛନ୍ତି।

ବିଶ୍ବକୁ ପୋଷଣ କ୍ଷେତ୍ରରେ ଭାରତକୁ ଅନେକ କିଛି ତ୍ଯାଗ କରିବାକୁ ପଡ଼ିବ। ପାରମ୍ପରିକ ମେଡିସିନ କ୍ଷେତ୍ରରେ ଭାରତର ଜୟଯାତ୍ରା ଜାରି ରହିଛି। ଦେଶବାସୀଙ୍କ ଭରସା ଅନୁଭବରୁ ଉତ୍ପତ୍ତି ଘଟିଛି। ବିକାଶ କ୍ଷେତ୍ରରେ ନୂଆ ଅଧ୍ଯାୟ ସୃଷ୍ଟି ହୋଇଛି। ୧୮ ହଜାର ଗାଁରେ ବିଜୁଳି ପହଞ୍ଚିବ। ସ୍ବଚ୍ଛ ଭାରତ ଲକ୍ଷ୍ଯରେ ଅଭିଯାନ ଜାରି ରହିବ। ନୂଆ ଚେତନାର ପ୍ରତିବିମ୍ବ ସ୍ବଚ୍ଛ ଭାରତ ଅଭିଯାନ। ଜଳଜୀବନ ମିଶନ ଜରିଆରେ ୧୨ କୋଟି ପରିବାର ଜଳ ଯୋଗାଣ ସୁବିଧା ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି , ଗ୍ରୁପ-୨୦ ତୁଳନାରେ ଭାରତର ବିକାଶ ଅଧିକ ହୋଇଛି। ବିଶ୍ବବାସୀ ଭାରତଠାରୁ ଅନେକ କିଛି ଶିକ୍ଷାଲାଭ କରୁଛନ୍ତି। ଆତଙ୍କବାଦ ବିରୋଧରେ ସଦାସର୍ବଦା ସେନା ଜାଗତିଆର ରହିଛି। ସର୍ଜିକାଲ ଷ୍ଟ୍ରାଇକ ଜରିଆରେ ଆତଙ୍କବାଦ ଦମନ ଜାରି ରହିଛି। ସଂସ୍କାରର ପରମ୍ପରାକୁ ସାମର୍ଥ୍ଯ ଯୋଗାଇଦିଆଯାଇଛି। ଯୁବପିଢିଙ୍କ ଆକାଂକ୍ଷା ସାକାର ଦିଗରେ ପଦକ୍ଷେପ ନିଆଯାଇଛି। ସଂସ୍କାର ପ୍ରକ୍ରିୟା ଦେଶକୁ ମଜଭୁତ କରିବ ବୋଲି ଆଶା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ବ୍ଯାଙ୍କିଙ୍ଗ କ୍ଷେତ୍ରରେ ଅତୀତରେ ବିକାଶ ଘଟି ନଥିଲା। ଦେଶରେ ବ୍ଯାଙ୍କ ଶିଳ୍ପ ସଙ୍କଟ ମଧ୍ଯରେ ରହିଥିଲା। ମାତ୍ର ବର୍ତ୍ତମାନ ଭାରତୀୟ ବ୍ଯାଙ୍କ ବିଶ୍ବରେ ନିଜର ସ୍ଥିତି ଜାହିର କରିଛନ୍ତି। ବ୍ଯାଙ୍କ ଋଣ ଜରିଆରେ ଜନଜୀବନର ପରିବର୍ତ୍ତନ ହୋଇଛି। ଏମଏସଏମଇ ଲାଗି ବ୍ଯାଙ୍କ ଯଥେଷ୍ଟ ସହାୟକ ହୋଇଛି। ଦେଶରେ ଗଭର୍ଣ୍ଣାନସ ମଡେଲରେ ପରିବର୍ତ୍ତନ ଆସିଛି ବୋଲି ମୋଦି କହିଛନ୍ତି। ଭାରତର ସିଇଓମାନେ ବିଶ୍ବରେ ଦବଦବା ବଜାୟ ରଖିଛନ୍ତି।

ସ୍ବାସ୍ଥ୍ୟ କ୍ଷେତ୍ର ଲାଗି ସରକାରଙ୍କ ସ୍ବତନ୍ତ୍ର ଭିଜନ ରହିଛି। ଘରୋଇ ସାଟେଲାଇଟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଛି। ଆଧୁନିକ ଭିତ୍ତିଭୂମି ଜରିଆରେ ଭାରତ ବଡ଼ ପଦକ୍ଷେପ ନେଇଛି। ଭୋକାଲ ଫର ଲୋକାଲ ଅର୍ଥନୀତିର ମୂଳମନ୍ତ୍ର ସାଜିଛି। ନାଗରିକଙ୍କ ଜୀବନକୁ ଅଧିକ ସମ୍ମାନ ଦେବା ସରକାରଙ୍କ ଲକ୍ଷ୍ଯ ରହିଛି। ୨୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ଆକାଂକ୍ଷୀ ଜିଲ୍ଲା ଜରିଆରେ ଜନଜୀବନର ବିକାଶ ଘଟିଛି ବୋଲି ମୋଦି କହିଛନ୍ତି। ଏହା ସହ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ ମୋଦି।