ଜାତୀୟ ରାଜପଥ ପ୍ରକଳ୍ପକୁ ନେଇ ଗଡ଼କରୀଙ୍କ ସହ କଥା ହେଲେ ମୋହନ

1 min read

ଭୁବନେଶ୍ବର: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହ ଆଲୋଚନା କଲେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ରାଜ୍ଯରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ଉପରେ ସେ ବିସ୍ତୃତ ଆଲୋଚନା କରିଛନ୍ତି । ରାଜ୍ଯ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଚାଲିଥିବା ପ୍ରକଳ୍ପଗୁଡିକ ତ୍ବରାନ୍ବିତ କରାଯିବ ବୋଲି ବୈଠକରେ ସହମତି ପ୍ରକାଶ ପାଇଛି ।

ଭୁବନେଶ୍ବର-ପୁରୀ ୬୦ କିଲୋମିଟର ରାସ୍ତା ସର୍ଭିସ ରୋଡ ସହିତ ୬ ଲେନ୍ ବିଶିଷ୍ଟ ହେବ । ଏଥିପାଇଁ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ୧୦ ହଜାର କୋଟି ଟଙ୍କା ବ୍ଯୟରେ ଚଣ୍ଡିଖୋଲ-ବଡ଼ବିଲ ସର୍ଭିସ ରୋଡ ସହ ୨୦୦ କିଲୋମିଟର ରାସ୍ତା ନିର୍ମାଣ ହେବ । ସେହିପରି ୧୧ ଶହ କୋଟି ଟଙ୍କାରେ ଖୋର୍ଦ୍ଧା-ନୟାଗଡ଼ ସର୍ଭିସ ରୋଡ ସହ ୪ ଲେନ ରାସ୍ତା, ହଜାରେ କୋଟି ଟଙ୍କାରେ କେସିଙ୍ଗା-ଜୁନାଗଡ ୪ ଲେନ ରାସ୍ତା ହେବ ।

୧୫ ହଜାର କୋଟି ଟଙ୍କାରେ ଏହି ଚିରୋଟି ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି । କୋରାପୁଟ-ପୋଡ଼ାମାରି ୨୪୬ କିଲୋମିଟର ରାସ୍ତାର ଦୁଇ ଲେନିଂ ପାଇଁ ୨୫ ଶହ କୋଟି ଟଙ୍କା ମଞ୍ଜୁର ହୋଇଛି । କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି ଅଧୀନରେ ଚଳିତବର୍ଷ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ପାଇଁ ସେତୁ ବନ୍ଧନ ଯୋଜନାରେ ୨୫୦ କୋଟି ଟଙ୍କାର ବ୍ଯବସ୍ଥା ହୋଇଛି । ଜାତୀୟ ରାଜପଥର ଉନ୍ନତି ପାଇଁ ୩୪ ଶହ କୋଟି ଟଙ୍କାର ଡିପିଆର ଦାଖଲ କରାଯିବ ।

ଏହାଛଡ଼ା କେନ୍ଦ୍ରକୁ କେତେକ ପ୍ରକଳ୍ପର ପ୍ରସ୍ତାବ ଦେଇଛନ୍ତି ରାଜ୍ଯ ସରକାର । ମୋଟୁ-ତିରିଙ୍ଗି ୯୬୯ କିଲୋମିଟର ରାସ୍ତା ସହ ପଶ୍ଚିମ-ପୂର୍ବ ସଂଯୋଗୀ କରଣ ପାଇଁ ୧୫ ହଜାର କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ୭ ହଜାର ୫୦୦ କୋଟି ଟଙ୍କାରେ ଝାରସୁଗୁଡ଼ା-ବାଲେଶ୍ବର, ୯ ହଜାର ୫୦୦ କୋଟି ଟଙ୍କାରେ ନୂଆପଡ଼ା-ଅସ୍ତରଙ୍ଗ, ୬ ହଜାର ୮୦୦ କୋଟି ଟଙ୍କାରେ ବୃନ୍ଦବାହାଲ-ଗୋପାଳପୁର ଓ ୫ ହଜାର ୪୭୭ କୋଟି ଟଙ୍କାରେ ସମ୍ବଲପୁର-ସାତଭାୟା ରାସ୍ତା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାଛଡ଼ା ୯ ହଜାର କୋଟି ଟଙ୍କାରେ ବ୍ରହ୍ମପୁର-ଜୟପୁର ଗ୍ରାଣ୍ଡ ରିଙ୍ଗରୋଡ, ୨୫ ଶହ କୋଟି ଟଙ୍କାରେ ଜୟପୁର-ରାଉରକେଲା, ୨୨ ଶହ କୋଟି ଟଙ୍କାରେ ରାଉରକେଲା-ଜଳେଶ୍ବର ଏବଂ ଜଳେଶ୍ବର-ବ୍ରହ୍ମପୁର ଗ୍ରାଣ୍ଡ ରିଙ୍ଗରୋଡ ପାଇଁ ପ୍ରସ୍ତାବ ଦିଆଯାଇଛି ।