ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ନେଇ ଧର୍ମେନ୍ଦ୍ରଙ୍କ ଚିଠି ପରେ ବିଜେଡି କହିଲା ନିଯୁକ୍ତି କ୍ଷେତ୍ରରେ ତ୍ରୁଟି ଦେଖାଯିବ

1 min read

ଭୁବନେଶ୍ବର: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦କୁ ପୁନଃ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିବାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ନେତା ଚିନ୍ମୟ ସାହୁ କହିଛନ୍ତି, ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ସୁଧାର ଆଣିବାକୁ ୨୦୨୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛ ଭାବରେ ସ୍ୱତନ୍ତ୍ର ପରୀକ୍ଷା ହୋଇଥିଲା । ପ୍ରିୟାପ୍ରୀତି ପୋଷଣ ବନ୍ଦ କରିବାକୁ ଏହି ପଦକ୍ଷେପ ନିଆଯାଇଥିଲା । ଯୋଗ୍ୟ ବ୍ଯକ୍ତି କୃତକାର୍ଯ୍ୟ ହୋଇ ବଡ଼ ବଡ଼ ସ୍ଥାନରେ ଅଛନ୍ତି । ତାକୁ ଉଚ୍ଛେଦ କରିବାକୁ ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେପି ଶାସିତ ରାଜ୍ୟରେ ନିଯୁକ୍ତିରେ ଯେଉଁପରି ଦୁର୍ନୀତିର ସିଣ୍ଡିକେଟ ହେଉଛି, ଓଡ଼ିଶାରେ ବି ସେମିତି କରିବାକୁ ଉଦ୍ଯମ କରାଯାଉଥିବା ସନ୍ଦେହ ହେଉଛି । ପୂର୍ବ ଆଇନରେ ସଂଶୋଧନ କରାଗଲେ ନିଯୁକ୍ତି କ୍ଷେତ୍ରରେ ଅନେକ ତ୍ରୁଟି ଦେଖାଯିବ ବୋଲି ଦଳ କ’ରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦ରେ ସଂଶୋଧନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଏଥିରେ ସେ ଉଲ୍ଲେଖ କରିଛନ୍ତି, ମୂଳ ଆଇନ ୧୯୮୯ରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା । ଏହି ଆଇନ ଶିକ୍ଷାନୁଷ୍ଠାନର ସ୍ୱାୟତତା, ଶିକ୍ଷାବିତଙ୍କ ସ୍ବାଧୀନତା ଓ ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରୁଛି । ୟୁଜିସି ଦ୍ୱାରା ନିର୍ଦ୍ଧାରିତ ଆଇନର ବ୍ୟବସ୍ଥା, ନିୟମ ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ନ୍ୟାୟିକ ନିର୍ଦ୍ଦେଶର ବିରୋଧୀ ଥିଲା ସେହି ଆଇନ । ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପଦ୍ଧତି ସମ୍ପର୍କରେ ଆଇନରେ ଥିବା ବ୍ୟବସ୍ଥା ୟୁଜିସି ନିୟମାବଳୀକୁ ବିରୋଧ କରୁଥିବା ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଥିଲେ । ତେଣୁ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସେ ଚିଠିରେ ଉଲ୍ଲେଖ କରିଥିଲେ ।