ସେନା ଯବାନଙ୍କୁ ଥାନାରେ ମାଡ, ଏସିପିଙ୍କ ଉପରେ ବର୍ଷିଲେ ମନ୍ତ୍ରୀ

ଜୟପୁର: ରାଜସ୍ଥାନର ଶିପ୍ରାପଥ ଥାନା ଭିତରେ ତାତିଲେ ସୈନିକ କଲ୍ୟାଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର । ଏସିପିଙ୍କୁ ପରାମର୍ଶ ଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ମନ୍ତ୍ରୀ ରାଗରେ ନିଆଁ ହୋଇଯାଉଥିବା ଦେଖିବାକୁ ମିଳିଛି  । ଏସିପିଙ୍କ ସହ ମନ୍ତ୍ରୀଙ୍କ ଯୁକ୍ତିତର୍କ ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ପାରା କମାଣ୍ଡୋ ଅରବିନ୍ଦ ସିଂ ରାଜପୁତଙ୍କୁ ପୋଲିସ ମାଡ ମାରିବା ଘଟଣାକୁ ନେଇ ବର୍ଷିଥିଲେ ମନ୍ତ୍ରୀ  ।

ଏହି ଘଟଣାକୁ ନେଇ ଜବାବ ମାଗିବାକୁ ଶିପ୍ରାପଥ ଥାନାରେ ପହଞ୍ଚିଥିଲେ ସୈନିକ କଲ୍ୟାଣ ମନ୍ତ୍ରୀ  । ଏହାପରେ ସେ ଥାନାରେ ପହଞ୍ଚି ଏସିପି ସଞ୍ଜୟ ଶର୍ମାଙ୍କ ଉପରେ ଜୋରଦାର ବର୍ଷିଥିଲେ  । ମନ୍ତ୍ରୀ ପଚାରିଥିଲେ ଯେ ‘‘ଆପଣ ସେନା ଯବାନଙ୍କୁ କାହିଁକି ଉଲ୍ଲଗ୍ନ କରି ମାଡ ମାରିଲେ ? ଯଦି ଯବାନଙ୍କ ସହ ଏଭଳି ବ୍ୟବହାର କରୁଛନ୍ତି ତେବେ ସାଧାରଣ ଜନତାଙ୍କ ସହ କିଭଳି ବ୍ୟବହାର କରୁଥିବେ? ମୁଁ ଆପଣଙ୍କ ସହ କଥା ହେଉଛି ହେଲେ ଆପଣ ସେଠାରେ କାହା ସହ କଥା ହେଉଛନ୍ତି ? ମୁଁ ଏଠାରେ ଧୈର୍ଯ୍ୟ ଧରି ବସିଛି  । ଯେତେବେଳେ ଆପଣଙ୍କ ସହ କଥା ହେଉଛି ଉତ୍ତର ଦିଅନ୍ତୁ ନଚେତ ସାବଧାନ ରୁହନ୍ତୁ  । ସାଧାରଣ ଭଦ୍ରାମି ଆପଣ ଶିଖି ନାହାନ୍ତି ନା ବର୍ଦ୍ଦିର ଅଂହକାର ଦେଖାଉଛନ୍ତି  । ଏଠାରେ କୌଣସି ପ୍ରକାର ଦାଦାଗିରି ଚାଲିନି ତ ?’’

କିଛି ଦିନ ପୂର୍ବରୁ ଶିପ୍ରାପଥ ପୋଲିସ ଏକ ହୁକ୍କା ବାର୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା  । ଏହି ସମୟରେ ଜଣେ ଯବାନଙ୍କୁ ପୋଲିସ ଅଟକ ରଖିଥିଲା  । ଯବାନଙ୍କ ଜାମିନ ପାଇଁ ସେଠାରେ ପହଞ୍ଚିଥିବା କାଶ୍ମୀରର  ଯବାନ ଅରବିନ୍ଦ ସିଂଙ୍କୁ ଉଲଗ୍ନ କରି ମାଡ ମରାଯାଇଥିଲା  ।