ଗୋଲ୍ଡ ମେଡାଲିଷ୍ଟ ଜ୍ବାଇଁଙ୍କୁ ଶ୍ବଶୂର ଦେବେ ଗିଫ୍ଟ

ନନ୍ଦିଘୋଷ ବ୍ୟୁରୋ: ଗୋଲ୍ଡ ମେଡାଲିଷ୍ଟ ଜ୍ବାଇଁଙ୍କୁ ମଇଁଷି ଗିଫ୍ଟ ଦେବେ ଶ୍ବଶୂର । ଅଲମ୍ପିକ ପଦକ ବିଜେତାଙ୍କୁ କିଏ କେତେ ପ୍ରକାର ଦାମୀ ଉପହାର ଦେଇ ସମ୍ମାନିତ କରୁଥିବା ବେଳେ ପାକିସ୍ତାନରେ ଦେଖିବାକୁ ମିଳିଛି ଠିକ୍ ଏହାର ବିପରୀତ କଥା । ଗାଁ ପରିବେଶରୁ ସଂଘର୍ଷ କରି ପ୍ୟାରିସ ଅଲିମ୍ପିକରେ ପହଞ୍ଚିଥିବା ଆଥଲେଟ ଅରଶଦ ନଦୀମଙ୍କୁ ମିଳିବ ମଇଁଷି ଉପହାର । ତାଙ୍କ ଶ୍ବଶୂର ମହମ୍ମଦ ନୱାଜ ଜ୍ବାଇଁ ନଦୀମଙ୍କୁ ମଇଁଷି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ନଦୀମଙ୍କ ଗାଁରେ ମଇଁଷି ଦେବା ବହୁତ ମୂଲ୍ୟବାନ ଓ ସମ୍ମାନଜନକ ଉପହାର ହୋଇଥାଏ  ।

ନଦୀମ ଜାଭଲିନ ଥ୍ରୋରେ ବିଶ୍ବ ବିଜୟୀ ହୋଇଛନ୍ତି ସତ କିନ୍ତୁ ଏବେବି ସେହି ଝାଟିମାଟି ଘରେ ସେ ରହୁଛନ୍ତି । ଗାଉଁଲି ମଫସଲ ଅଞ୍ଚଳରେ ନିଜ ପରିବାର ସହ ଜୀବନ ବିତାଉଛନ୍ତି ନଦୀମ । ନଦୀମଙ୍କ ଶ୍ବଶୁର କହିଛନ୍ତି ଯେ ବିବାହ ସମୟରେ ସେ ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ କିନ୍ତୁ ଖେଳପ୍ରତି ତାଙ୍କର ଇଚ୍ଛାଶକ୍ତି ସେତେବେଳେ ବି ଦୃଢ ଥିଲା । ଏଥିପାଇଁ ନଦୀମ ପ୍ରତିଦିନ ଚାଷଜମିରେ ଜାଭଲିନ ଫୋପାଡିବା ଅଭ୍ୟାସ ଜାରି ରଖିଥିଲେ ।

ପାକିସ୍ତାନର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅରଶଦ ନଦୀମ ସ୍ବଦେଶ ଫେରିବା ପରେ ତାଙ୍କୁ ବିପୁଳ ସ୍ବାଗତ କରିଛନ୍ତି ପ୍ରଶଂସକ । ସ୍ବର୍ଣ୍ଣ ପଦକ ଜିତିବା ପରେ ପରିବାରକୁ ଭେଟି ଭାବବିହ୍ବଳ ହୋଇପଡିଥିଲେ ନଦୀମ । ପାକିସ୍ତାନରେ ନଦୀମଙ୍କ ସ୍ବାଗତ ୱାଟର କ୍ୟାନନ ସ୍ୟାଲୁଟରେ ହୋଇଥିଲା । ଜାତୀୟ ନାୟକଙ୍କ ଭଳି ନଦୀମଙ୍କୁ ସ୍ବାଗତ କରିଥିଲା ପାକିସ୍ତାନ । ହଜାର ହଜାର ପ୍ରଶଂସକ ନଦୀମଙ୍କୁ ଦେଖିବା ପାଇଁ ବିମାନ ବନ୍ଦରରେ ଭିଡ ଜମାଇଥିଲେ ।

ପ୍ୟାରିସ ଅଲିମ୍ପିକରେ ଜାଭଲିନ ଥ୍ରୋରେ ୯୨.୯୭ ମିଟର ଜାଭଲିନ ଫୋପାଡି ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନଦୀମ  । ଭାରତର ନୀରଜ ଚୋପ୍ରାଙ୍କୁ ହରାଇ ନଦୀମ ଏହି ରେକର୍ଡ କରିଛନ୍ତି  ।