୭୧ ତମ ରାଜ୍ୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ଉଦଯାପିତ 

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ ଭାରୋତ୍ତୋଳନ ହଲ୍‌ ପରିସରରେ  ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ୭୧ ତମ ରାଜ୍ୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ଉଦଯାପିତ ହୋଇଯାଇଛି । ୧୫ ଜିଲ୍ଲାର ୧୫୦ ପ୍ରତିଯୋଗୀଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଶେଷ ଦିନରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପୁରୁଷ ସିନିୟର୍ ବର୍ଗରେ ଗଞ୍ଜାମର ମୁନା ନାୟକ, ୟୁଥରେ ଗଞ୍ଜାମର ହର୍ଷବର୍ଦ୍ଧନ ସାହୁ ଓ ଜୁନିୟର୍ ବର୍ଗରେ ଖୋର୍ଦ୍ଧାର ସଦାନନ୍ଦ ବରିହା ଶ୍ରେଷ୍ଠ ଭରୋତ୍ତୋଳକ ଭାବେ ପୁରସ୍କୃତ ହୋଇଛନ୍ତି । ସେହିପରି ମହିଳା ସିନିୟର୍ ବର୍ଗରେ ମୟୂରଭଞ୍ଜର ସ୍ନେହା ସୋରେନ୍ ଏବଂ ଯୁଥ୍ ଓ ଜୁନିୟରରେ ନବରଙ୍ଗପୁରର ମୀନା ସାନ୍ତା ଶ୍ରେଷ୍ଠ ଭରୋତ୍ତୋଳକ ଭାବେ ପୁରସ୍କୃତ ହୋଇଛନ୍ତି। ତିନି ଦିନର ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ଖେଳାଳିଙ୍କ ଆଧିପତ୍ଯ ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲା ଦଳଗତ ଚାମ୍ପିଅନ୍ ହୋଇଥିବା ବେଳେ ଖୋର୍ଦ୍ଧା ଓ ଢେଙ୍କାନାଳ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ଉପବିଜେତା ହୋଇଛନ୍ତି । ରାଜ୍ୟ ସଂଘ ସମ୍ପାଦକ ରବି କୁମାର, ନାରାୟଣ ସାହୁ, ରମେଶ ପାଢ଼ି, ଚନ୍ଦ୍ରଶେଖର ସାହୁ, ଗାଗାରିନ୍ ନାୟକ, ରାନୁ ମହାନ୍ତି, ରାଜେଶ୍ଵରୀ ବେହେରା ସମେତ ମୋଟ ୩୨ ଜଣ ପରିଚାଳକ ଓ ବୈଷୟିକ ଅଧିକାରୀ ଖେଳ ପରିଚାଳନା ଏବଂ ବିଜେତାଙ୍କୁ ପୁରସ୍କୃତ କରିଥିଲେ।