ସ୍କୁଲରେ ଋତୁସ୍ରାବ ସମସ୍ୟାରୁ ଛାତ୍ରୀଙ୍କୁ ମିଳିବ ମୁକ୍ତି, ୫ ଟଙ୍କା ପକାଇଲ ଭେଣ୍ଡିଂ ମେସିନରୁ ବାହାରିବ ସାନିଟାରୀ ପ୍ୟାଡ଼

ଭୁବନେଶ୍ବର: ଏଣିକି ସ୍କୁଲରେ ଋତୁସ୍ରାବ ଜନିତ ସମସ୍ୟାରୁ ମୁକ୍ତି ପାଇବେ ଛାତ୍ରୀ । ସ୍କୁଲରେ ଲାଗିବ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ । ଏନେଇ ନିଜ ବାର୍ଷିକ କାର୍ଯ୍ୟ ଖସଡ଼ାରେ ଉଲ୍ଲେଖ କରିଛି ଓସେପା । କିଛି ସ୍କୁଲରେ ଏହା କାର୍ଯ୍ୟକାରୀ ହେଲାଣି । ପ୍ୟାଡ ବ୍ୟବହାର ଓ ତାକୁ ଏଣେତେଣେ ନ ପକାଇବାକୁ ସ୍କୁଲରେ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ ଲଗାଯାଉଛି ।

ଏହି ଭେଣ୍ଡିଂ ମେସିନରେ ପାଞ୍ଚ ଟଙ୍କା ପକାଇଲେ ମିଳିବ ସାନିଟାରୀ ପ୍ୟାଡ । ରାଜ୍ୟର ବିଭିନ୍ନ ସ୍କୁଲରେ ଏହି ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଉଛି । କାରଣ ସରକାରଙ୍କୁ ଘାରିଛି ଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସ୍ଵଚ୍ଛତା ଚିନ୍ତା ।

ପ୍ରାୟ ୨୦ ହଜାର ୩୫୬ଟି ସ୍କୁଲରେ ବାଳିକାଙ୍କ ପାଇଁ ଥିବା ଶୌଚାଳୟରେ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ ଲାଗିବାର ବ୍ୟବସ୍ଥା ରହିଛି । ପର୍ଯ୍ୟାୟ କ୍ରମେ ଏହାକୁ ସମସ୍ତ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ସମ୍ପ୍ରସାରିତ କରାଯିବ । ମା’ମାନେ ଝିଅମାନଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇବେ । ତେବେ ଯେଉଁ କେତୋଟି ସ୍କୁଲରେ ଏହା ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ ହୋଇଛି, ସେଠାରେ ପାଞ୍ଚ ଟଙ୍କାକୁ ନେଇ କିଛି ଦ୍ବନ୍ଦ୍ବ ଉପୁଜିଛି । ଆଗକୁ ଏହା ସଂପୂର୍ଣ୍ଣ ମାଗଣା କରାଯିବା ନେଇ ଆଶା କରାଯାଇଛି ।

ବେଟି ବଚାଓ ବେଟି ପଢ଼ାଓ । ନାରୀ ହିଁ ଦେଶର ସଂସ୍କୃତି । ନାରୀ ଶିକ୍ଷିତ ହେଲେ ଦେଶ ଶିକ୍ଷିତ ହେବ । ଦେଶକୁ ଉତ୍ତମ ଭାବେ ଗଢ଼ି ତୋଳିବାକୁ ହେଲେ ନାରୀଙ୍କ ଭୂମିକା ସର୍ବଦା ପ୍ରଶଂସନୀୟ ଓ ଅନୁକରଣୀୟ । ନାରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବାକୁ ହେଲେ ସମସ୍ତ ଝିଅଙ୍କୁ ପାଠପଢ଼ାଇ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରାଇବାକୁ ପଡ଼ିବ । ବେଟି ବଚାଓ ବେଟି ପଢ଼ାଓ ସମେତ କନ୍ୟାଭୃଣ ହତ୍ୟା ଭଳି ସାଇବର ଜନିତ ସମସ୍ୟାକୁ ନେଇ ସ୍କୁଲରେ ସଚେତନତା କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ୧୦ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏହା ଆରମ୍ଭ କରାଯାଇଛି । ବାଳିକ ଓ ବାଳିକାଙ୍କ ମଧ୍ୟରେ କୌଣସି ଭେଦଭାବ ରଖିବା ଅନୁଚିତ ବୋଲି ଓସେପା କହିଛି ।

ଝିଅଙ୍କ ଭିତରେ ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା । ଏହାକୁ ନେଇ କେହି ଭୟଭୀତ କି ଲାଜ୍ଜ କରିବା କଥା ନୁହେଁ । ତେବେ ସ୍କୁଲସ୍ତରରେ ଏ ଦିଗରେ ସଚେତନ କରିବାର ଯଥେଷ୍ଟ ଆବଶ୍ୟକ ରହିଛି ।