ଦକ୍ଷିଣ ଓଡ଼ିଶାରେ ସୂତାଖିଅରେ ଝୁଲୁଛି ଲକ୍ଷ୍ମୀ ବସ୍ ଭାଗ୍ୟ, ଆନ୍ଦୋଳନ ପାଇଁ ଲୋକଙ୍କ ସଜବାଜ

ଭୁବନେଶ୍ବର: ଗାଁରୁ ବ୍ଲକ, ବ୍ଲକରୁ ଜିଲ୍ଲାକୁ ଲୋକେ ସହଜ ଓ ଶସ୍ତାରେ ଯିବା ଆସିବା ପାଇଁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ବସ୍ ସେବା । ଯୋଜନା ଶୁଭାରମ୍ଭର ୫ ମାସ ପରେ ସ୍ଥିତି ବେହାଲ । ବିଶେଷ କରି ଆଦିବାସୀ ବହୁଳ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ପରିସ୍ଥିତି ଗମ୍ଭୀର । ଡିପୋରେ ଖତ ଖାଉଛି କୋଟି କୋଟି ଟଙ୍କାର ଏସି ବସ୍ । ନା ରାସ୍ତାରେ ଗଡୁଛି, ନା ଲୋକଙ୍କୁ ସେବା ମିଳୁଛି । ସରକାର ବଦଳିବା ପରେ ଲକ୍ଷ୍ମୀ ବସର ଭାଗ୍ୟ ସୂତାଖିଅରେ ଝୁଲିଲା ପରି ଲାଗୁଛି । ପରିବହନ ବିଭାଗର ମନୋମୁଖୀ ନିଷ୍ପତ୍ତି ବିରୋଧରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ ବିଭାଗୀୟ ମନ୍ତ୍ରୀ କହୁଛନ୍ତି, ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ କାମ କରିବୁ ।

ଦକ୍ଷିଣ ଓଡ଼ିଶାରେ ସୂତାଖିଅରେ ଝୁଲୁଛି ଲକ୍ଷ୍ମୀ ବସ୍ ଭାଗ୍ୟ । ମାଲକାନଗିରି ପରେ କୋରାପୁଟରେ ବନ୍ଦ ହେଲା ଲକ୍ଷ୍ମୀ ଏସି ବସ । କୋଟପାଡଠାରୁ କୋରାପୁଟ ସଦର ମହକୁମା ଓ ବନ୍ଧୁଗାଁ ବ୍ଲକରୁ କୋରାପୁଟ ସଦର ମହକୁମାକୁ ଚାଲିଥିବା ଏସି ବସକୁ ବନ୍ଦ କରିଦିଆଯାଇଛି । ଏପଟେ ଜୟପୁର ବସ୍ ଟର୍ମିନାଲରେ ଯୋଜନା ଆରମ୍ଭ ଦିନଠାରୁ ପଡ଼ି ରହିଛି ୧୪ଟି ଏସି ବସ୍ । ଏଗୁଡ଼ିକ ଦିନଟିଏ ବି ଚାଲିପାରିନାହିଁ । ଏହି ବସ୍ ଚାଲିଥିଲେ କୋରାପୁଟ ଜିଲ୍ଲାରେ ୧୪ଟି ବ୍ଲକ ସହିତ ଜିଲ୍ଲା ମୁଖ୍ଯାଲୟକୁ ସଂଯୋଗ ହୋଇପାରିଥାନ୍ତା । କିନ୍ତୁ ଗତ ମାର୍ଚ୍ଚ ମାସରୁ ବସଗୁଡିକ ପଡିରହିଛି । ଫଳରେ କୌଣସି ରୁଟରେ ନ ଚାଲି ଖତ ଖାଉଛି କୋଟି କୋଟି ଟଙ୍କାର ବସ୍ । ଦୁର୍ଗମ ଓ ଉପାନ୍ତ ଅଞ୍ଚଳରୁ ସଦର ମହକୁମାକୁ ଗମନାଗମନ ସୁଗମ ହେବା ନେଇ ପୂର୍ବ ସରକାରର ନିଷ୍ପତ୍ତିକୁ ମୋହନ ସରକାର କାହିଁକି ବନ୍ଦ କରିଛନ୍ତି ତାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି ।

ଗ୍ରାମାଞ୍ଚଳର ଲୋକେ ସହରାଞ୍ଚଳ ସହିତ ଯୋଡି ହେବା ଲକ୍ଷ୍ୟରେ ଲକ୍ଷ୍ମୀ ଯୋଜନା କରିଥିଲେ ତତ୍କାଳୀନ ନବୀନ ସରକାର । ଗାଁରୁ ବ୍ଲକ, ବ୍ଲକରୁ ଜିଲ୍ଲା ସଦର ମହକୁମା ଯିବା ଆସିବା ସହଜ ଓ ଶସ୍ତାରେ ଲୋକଙ୍କୁ ସେବା ମିଳିବା ଥିଲା ମୂଳ ଲକ୍ଷ୍ୟ । ହେଲେ ଫେବୃଆରୀ ୨୧ରେ ଆରମ୍ଭ ହୋଇଥିବା ଏହି ଯୋଜନା ୫ ମାସ ପରେ ଲକ୍ଷ୍ୟସ୍ଥଳରୁ ବହୁ ଦୂରରେ । ରାୟଗଡ଼ାର ଆରଏମସି ଗ୍ରାଉଣ୍ଡରେ ପଡ଼ିରହିଛି ୯ଟି ବସ୍ । ମାଲକାନଗିରି ଜିଲ୍ଲାରେ ବି ସମାନ ଅବସ୍ଥା । କୋଟି କୋଟି ଟଙ୍କା ଦେଇ ବସ୍ କିଣା ହୋଇଥିଲେ ମଧ୍ୟ ଲୋକଙ୍କ କାମରେ ଲାଗୁ ନଥିବାରୁ ଉତ୍ତେଜିତ ହେଲେଣି ସ୍ଥାନୀୟ ବାସିନ୍ଦା । ଆଗକୁ ଆନ୍ଦୋଳନ ପାଇଁ ବି ସଜବାଜ ହେଲେଣି । ଏପଟେ ବସ ଯୋଗାଇବାକୁ ପ୍ରତିଶୃତି ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ଲକ୍ଷ୍ମୀ ଯୋଜନାରେ ୩ ହଜାର ୧୭୮କୋଟି ଟଙ୍କା ସରକାର ଅନୁଦାନ ଦେଇଥିବା ବେଳେ ୧୭୪୫ଟି ବସ୍ କିଣାଯାଇଛି । ହେଲା କିଛି ଜାଗାରେ ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ପଡ଼ି ନଷ୍ଟ ହେବାକୁ ବସିଛି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି ।