ଆଳୁ ମଟର ତରକାରୀରୁ ଆଳୁ ଗାଏବ

ନନ୍ଦିଘୋଷ ବ୍ୟୁରୋ: ଜଳଖିଆ ଦୋକାନ ଉପରେ ପଡ଼ିଛି ଆଳୁ ଦରର ପ୍ରଭାବ। ଫଳରେ ବଢିଛି ଜଳଖିଆର ମୂଲ୍ୟ । ଆଳୁ ଚପ୍ ୭ ଟଙ୍କା ହୋଇଥିବାବେଳେ ଦହିବରା ପ୍ଲେଟରୁ କମୁଛି ଆଳୁ ପିସ୍। ଆଳୁଦମରେ ଆଳୁ ବଦଳରେ ମିଶୁଛି ସୋୟାବିନ ବଡ଼ି। ବ୍ୟବସାୟ ଦୃଷ୍ଟିରୁ କ୍ଷତି ହେଲେ ବି କମାଉ ନାହାନ୍ତି ପରିମାଣ, କିନ୍ତୁ କମୁଛି କ୍ବାଣ୍ଟିଟି। ଦରଦାମ ନିୟନ୍ତ୍ରଣ ନ ହେଲେ ଆଗକୁ ଜଳଖିଆ କରିବା ମୁସ୍କିଲ ହେବ ବୋଲି କହିଛନ୍ତି ବ୍ୟବସାୟୀ।

ଜଳଖିଆ ଦୋକାନରେ ଆଳୁ ଯନ୍ତ୍ରଣା । ଆଳୁ ମଟର ତରକାରୀରୁ ଆଳୁ ଗାଏବ। ଡାଲେମାରେ ୧୦ କିଲୋ ଜାଗାରେ ପଡୁଛି ୬ କିଲୋ । ଦୋସାରେ କମିଲା ଆଳୁ ମସଲା ପରିମାଣ । ଆଳୁଦମରେ ପଡିଲା ସୋୟାବିନ୍ ବଡ଼ି । ବେପାର ପାଇଁ କ୍ଷତିରେ ଦୋକନୀ । ଆଳୁ ସଙ୍କଟ ଓ ଦର ବୃଦ୍ଧି ସିଧା ସଳଖ ପ୍ରଭାବ ଜଳଖିଆ ଦୋକାନ ଉପରେ ପଡିଛି । ରାସ୍ତା କଡ ହେଉ କି ବଡ ଟିଫିନ ସେଣ୍ଟର । ଆଳୁ ମସଲା, ତରକାରୀ, ଆଳୁ ଚପ୍ ସିଙ୍ଗଡା, ବ୍ରେଡ ଚପ, ଆଳୁ କସା ସବୁଥିରେ ଆଳୁ ଆବଶ୍ଯକ । ତେବେ ଦରବୃଦ୍ଧି କାରଣରୁ କେଉଁଠି ଆଳୁ ଚପରୁ ମସଲା କମିଲାଣି ତ, ଆଉ କେଉଁଠି ବଢିଲାଣି ଦର । ସେହିଭଳି ଚକୁଳି ସାଙ୍ଗକୁ ଡାଲେମା ସ୍ବାଦ ବି ପାଣିଚିଆ ହେଲାଣି । କାରଣ ପୂର୍ବ ଭଳି ଡାଲେମାରେ ଆଳୁ ପଡୁନି । ପୂର୍ବରୁ ଆଳୁ ପ୍ଯାକେଟ ୮ଶହ ଟଙ୍କା ଦେଇ କିଣୁଥିବା ବେଳେ ଏବେ ଦୁଇ ହଜାର ହେଲାଣି । ପରିମାଣ କମାଇଲେ ବେପାର କମୁଛି । ଆଉ ଗ୍ରାହକ ମୁହଁ ନ ମୋଡିବେ ସେଥିପାଇଁ କ୍ଷତିରେ ହେଲେ ବି ଲୋକଙ୍କୁ ଦେଉଛନ୍ତି ଦୋକାନୀ ।

ରାଜଧାନୀ ବାସିନ୍ଦାଙ୍କ ପ୍ରଥମ ପସନ୍ଦ ହେଉଛି ଦହିବରା । ଏବେ ଦହିବରା ଆଳୁଦମ ବେପାର ଉପରେ ଆଳୁ ସଙ୍କଟର ପ୍ରଭାବ ପଡ଼ିଛି । ଆଳୁଦମରେ ଆଳୁ କମ ସୋୟାବିନ ବଡ଼ି ଅଧିକ ପଡୁଛି । ଏପଟେ ଗ୍ରାହକମାନେ ଦହିବରା ଖାଇବା ସମୟରେ ଦୁଇ ତିନିଥର ଆଳୁଦମ୍ ମାଗୁଛନ୍ତି । ଯେତେ ଝୋଳ ମାଗିଲେ ମିଳିବ କିନ୍ତୁ ଦୁଇଥର ଆଳୁ ମାଗିଲେ ମିଳୁଛି ସୋୟାବିନ୍ ବଡି ଦେବାକୁ ବାଧ୍ଯ ହେଉଛନ୍ତି ଦୋକାନୀ । ତେଣୁ ପ୍ଳେଟ ୨୦ ରୁ ୩୦ଟଙ୍କା ବିକୁଥିବା ବେଳେ ଜଣେ ଗ୍ରାହକଙ୍କୁ ୫ ରୁ ୬ ପିସ୍ ଆଳୁ ଦେଉଛନ୍ତି ବେପାରୀ । କିଛି ବ୍ଯବସାୟୀ ବେପାର ପାଇଁ କ୍ଷତି ସହିଲେ ବି ସମାନ ପରିମାଣର ଆଳୁଦମ ଦେଉଛନ୍ତି।