୧୭ ମାସ ପରେ ଜେଲରୁ ମୁକୁଳିଲେ ସିସୋଦିଆ

1 min read

ନୂଆଦିଲ୍ଲୀ: ଦୀର୍ଘ ୧୭ ମାସ ପରେ ଜେଲରୁ ମୁକୁଳିଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆ । ତାଙ୍କୁ ମୁକ୍ତ କରିବା ଲାଗି ଆଜି ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ । ଦିଲ୍ଲୀ ମଦ ଦୁର୍ନୀତିରେ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । କୋର୍ଟ କହିଥିଲେ- ତ୍ଵରିତ ନ୍ୟାୟ ପାଇବାର ଅଧିକାର ସିସୋଦିଆଙ୍କର ଅଛି । ତାଙ୍କୁ ଟ୍ରାଏଲ କୋର୍ଟକୁ ପଠାଯିବା ସାପ ସିଡ଼ି ଖେଳ ସହ ସମାନ, ଯାହାକି ଅନ୍ୟାୟ ।

ସୁପ୍ରିମକୋର୍ଟ କହିଛନ୍ତି, ବିଚାର ପ୍ରକ୍ରିୟା ନକରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ସିସୋଦିଆଙ୍କୁ ଜେଲରେ ରଖିବା ତାଙ୍କ ମୌଳିକ ଅଧିକାରର ଉଲ୍ଲଂଘନ । ୧୭ ମାସ ହେଲାଣି ବିଚାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଅଭିଯୁକ୍ତକୁ ବେଲ୍ ମିଳିବା ଉଚିତ । ଜେଲ୍ ହେଉଛି ବ୍ଯତିକ୍ରମ । ସମାଜରେ ସିସୋଦିଆଙ୍କ ଏକ ସମ୍ମାନ ଅଛି । ଏହାକୁ ତଳ କୋର୍ଟ ଓ ହାଇକୋର୍ଟ ଧ୍ଯାନ ଦେବାର ଥିଲା । ଦଣ୍ଡ ହିସାବରେ ଜାମିନକୁ ଖାରଜ କରାଯାଇପାରିବ ନାହିଁ ।

ଦିଲ୍ଲୀ ମଦ ଦୁର୍ନୀତିରେ ସିବିଆଇ ୨୦୨୩ ଫେବୃଆରୀ ୨୬ ତାରିଖରେ ସିସୋଦିଆଙ୍କୁ ଗିରଫ କରିଥିଲା । ଦୁଇ ସପ୍ତାହ ପରେ ଇଡି ମଧ୍ଯ ତାଙ୍କୁ ଗିରଫ କରିଥିଲା । ଉଭୟ କେସରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି ଏବଂ କହିଛନ୍ତି ଅନିର୍ଦ୍ଦିଷ୍ଟ କାଳ ପାଇଁ ସିସୋଦିଆଙ୍କୁ ଜେଲରେ ରଖାଯାଇପାରିବ ନାହିଁ । ତେବେ ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି ଯେ, ସିସୋଦିଆ ମୁଖ୍ଯମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଅଫିସକୁ ଯାଇପାରିବେ ନାହିଁ । ଏହା ସହିତ କୋର୍ଟରେ ପାସପୋର୍ଟ ଦାଖଲ କରିବେ । ସୁପ୍ରିମକୋର୍ଟଙ୍କଠାରୁ ସିସୋଦିଆଙ୍କୁ ଜାମିନ ମିଳିବା ପରେ ଆପ୍ ଶିବିରରେ ସେଲିବ୍ରେସନ । ବାଜା ବଜାଇ ନାଚ ଗୀତ କରି ଆପ୍ କର୍ମୀ ସେଲିବ୍ରେସନ କରିଛନ୍ତି ।