ଫେଲ ମାରିଛି ଡବଲ ଇଂଜିନ ସରକାରର ଆଳୁ ନୀତି

ନୂଆଦିଲ୍ଲୀ: ଯୋଗାଣ ମନ୍ତ୍ରୀ ଖାଲି ଲୋକ ଦେଖାଣିଆ ଭାବେ ଆଳୁ ସମସ୍ୟା ନାହିଁ କହୁଛନ୍ତି । ହେଲେ ସ୍ଥିତି ପୂରା ଓଲଟା । ବଜାରରେ ଆଉ ମିଳୁନି ଆଳୁ। ପଶ୍ଚିମବଙ୍ଗ କି ଉତ୍ତର ପ୍ରଦେଶରୁ ଆଳୁ ଆସୁନି । ଚୋରାରେ ବେପାରୀ ଆଳୁ ଆଣୁଥିବାରୁ ଦର ଆକାଶଛୁଆଁ । କିଛି ସ୍ଥାନରେ ଡିଲର ପଏଣ୍ଟରେ ଆଳୁ କିଲୋ ପିଛା ୬୦ ଟଙ୍କା । ଖାଉଟି କେତେ ଟଙ୍କାରେ କିଣୁଥିଲେ ଏଥିରୁ ସହଜେ ଅନୁମେୟ ।

୧୫ ଦିନ ଧରି ଆଳୁ ସମସ୍ୟାର ସମାଧାନ ହେଉନି ।  ତରକାରୀ କଥା ଛାଡ଼ନ୍ତୁ ମାର୍କେଟରେ ବି ମୁଳିନି ଆଳୁ । ପଶ୍ଚିମବଙ୍ଗ ଛାଡ଼ି ୟୁପିରୁ ଆଳୁ ଆମଦାନୀ ସରକାରଙ୍କୁ ମହଙ୍ଗା ପଡ଼ିଛି । ବଜାରର ସ୍ଥିତି ନଜାଣି ଖାଲି ବାହାସ୍ଫୋଟ ମାରୁଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟରେ ଆଳୁ ସଙ୍କଟ ଦୂର କରିବାକୁ ରାଜ୍ୟ ସରକାର ପଶ୍ଚିମବଙ୍ଗ ସହ ଆଲୋଚନା କରି ସମସ୍ୟାର ସମାଧାନ କରିପାରିଲେନି । ଉତ୍ତରପ୍ରଦେଶରୁ ଆଳୁ ମଗେଇଲେ । ହେଲେ ୟୁପି ଆଳୁକୁ ଲୋକେ ଗ୍ରହଣ କଲେ ନାହିଁ । ୟୁପିରୁ ଆସୁଥିବା ଆଳୁ ଶୀଘ୍ର ପଚିଗଲା । ତେଣୁ ବ୍ୟବସାୟୀ ଆଉ ୟୁପିରୁ ଆଳୁ ଆଣୁନାହାଁନ୍ତି । ଫଳରେ ବଜାରରେ ଆଉ ଆଳୁ ମିଳୁନାହିଁ । ଡିଲର ପଏଣ୍ଟରେ ଆଳୁ ବିକ୍ରି ହେଉଛି ୬୦ ଟଙ୍କାରେ । ସାଧାରଣ ଲୋକ ଏହାକୁ ନେଇ ସିଧା ସରକାରଙ୍କୁ ଦାୟୀ କରିଛନ୍ତି ।

ଗୋଟେ ପଟେ ଆଳୁ ସମସ୍ୟା ଜଟିଳ ଆଡ଼କୁ ଗତି କରିବ ବୋଲି ଜଳଜଳ ହୋଇ ଦେଖା ଯାଉଥିବା ବେଳେ ସରକାର କିନ୍ତୁ କେବଳ ଆଲୋଚନାରେ ବ୍ୟସ୍ତ । ଏବେ ରାଜ୍ୟର ବିଭିନ୍ନ ବଜାରରେ ୧୫ ହଜାର ଟନ୍ ଆଳୁ ମହଜୁଦ ରହିଛି । ଯାହା ଦୁଇ ଦିନ ଭିତରେ ସରିଯିବ । ସରକାର କିନ୍ତୁ ସ୍ଥିତିକୁ ନେଇ ଗମ୍ଭୀର ବୋଲି ଜଣାପଡୁନି । ସେପଟେ ଓଡ଼ିଶାକୁ ଆଳୁ ଦେବା ପାଇଁ ପଶ୍ଚିମବଙ୍ଗରେ ବସିଥିଲା ବୈଠକ । ଓଡ଼ିଶାକୁ କୁଇଣ୍ଟାଲ ପ୍ରତି ୨୩ ଶହ ଟଙ୍କାରେ ଆଳୁ ଦେବାକୁ ନିଷ୍ପତ୍ତି ହୋଇଥିଲେ ବି ସେଠାକାର ବ୍ୟବସାୟୀ ରାଜି ନୁହଁନ୍ତି । ଏଭଳି ସମସ୍ୟାର ସମାଧାନ କେବଳ ସରକାରୀ ସ୍ତରରେ ହୋଇପାରିବ ବୋଲି ବ୍ୟବସାୟୀ ମହାସଂଘ କହିଛି । ପାଇକାରୀ ଦର ଯାହା ରହୁଛି ଖୁଚୁରା ଦର ବହୁତ ବଢ଼ି ଯାଉଛି ।

ଗତ ଦୁଇ ତିନି ସପ୍ତାହ ମଧ୍ୟରେ ଆଳୁ ଦର ୧୮ରୁ ୬୦ରେ ପହଁଚିଲାଣି । ଯୋଗାଣମନ୍ତ୍ରୀ କିନ୍ତୁ ଦର ନିୟନ୍ତ୍ରଣ କରିବାରେ ଫେଲ । ସରକାର ବି ହାତ ବାନ୍ଧି ବସିଛନ୍ତି ।