ବିନୋଦ କାମ୍ବଲୀଙ୍କ ସହ ଏମିତି କାହିଁକି ହେଲା ,ଭାଇରାଲ ଭିଡିଓକୁ ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଜଗତରେ ଧ୍ରୁବ ତାରା ପରି ଚମକୁଥିବା କ୍ରିକେଟର ବିନୋଦ କାମ୍ୱଲୀ ଏବେ ନିଜ ଗୋଡରେ ଠିକରେ ଛିଡା ହେବାକୁ ବି ଅକ୍ଷମ ଏବଂ ସେ ଚାଲିବାରେ ମଧ୍ୟ ଅସୁବିଧା ଭୋଗୁଛନ୍ତି। । ନିକଟରେ ଭେଟେରାନ୍ କ୍ରିକେଟରଙ୍କ କାମ୍ୱଲୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ସ୍ପଷ୍ଟ ଦେଖିବା ପାଇଁ ମିଳିଛି, ସେ ଚାଲିବା ପାଇଁ ପ୍ରଥମେ ପାର୍କିଂ ବାଇକ୍ ସାହାଯ୍ୟ ନେଉଛନ୍ତି । ତେବେ ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଦେଖି ସାହାଯ୍ୟ କରଛନ୍ତି ।ଏମିତିରେ କ୍ରିକେଟ ମଇଦାନରେ ନିଜ ପାଦରେ ଆଚ୍ଛାଦନ କରୁଥିବା ଖେଳାଳୀ ଆଜି ନିଜ ପାଦରେ ଠିକରେ ଛିଡା ବି ହୋଇପାରୁନାହାନ୍ତି । ତାଙ୍କର ଏପରି ଅବସ୍ଥା କିପରି ହେଲା ତାହାକୁ ନେଇ ସବୁଛି ଚର୍ଚ୍ଚା ଜୋର ଧରିଛି ।

କାମ୍ବଲୀଙ୍କ ଭିଡିଓରେ ଶହ ଶହ କମେଣ୍ଟ ଆସିଛି। ଅନେକ ଲୋକ ଲେଖୁଛନ୍ତି ଯେ ବିନୋଦ କାମ୍ବଲି ମଦ୍ୟପାନ କରିଛନ୍ତି ଏବଂ ମଦ୍ୟପାନ ହେତୁ ଚାଲିବାକୁ ଅସମର୍ଥ। କେତେଜଣ ଲୋକ ତାଙ୍କ ଅସୁସ୍ଥତାକୁ ଦର୍ଶାଇ କହିଛନ୍ତି ଯେ ସେ ପୂର୍ବରୁ ଅନେକ ଥର ଅସୁସ୍ଥ ହୋଇପଡିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ ବିନୋଦ କାମ୍ବଲିଙ୍କୁ ଦେଖିଲେ ସେ ମଦ୍ୟପାନ କରୁଥିବା ଦେଖାଯାଏ ନାହିଁ। ହଁ, ସେ ଅସୁସ୍ଥ ହୋଇପାରନ୍ତି। ତେବେ ଏହି ଭିଡିଓର ସତ୍ୟତା କେତେ ତାହା ଏବେପର୍ଯ୍ୟନ୍ତ ଜଣା ପଡିନାହିଁ।

ବିନୋଦ କାମ୍ବଲୀ ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ରୋଗ ସହ ଲଢେଇ କରୁଥିଲେ। କିଛି ବର୍ଷ ପୂର୍ବେ ତାଙ୍କର ହୃଦଘାତ ହୋଇଥିଲା। ମୁମ୍ବାଇ ପୋଲିସର ଜଣେ କନଷ୍ଟେବଳ ତାଙ୍କୁ ଡାକ୍ତରଖାନା ନେଇ ଜୀବନ ରକ୍ଷା କରିଥିଲେ। କାମ୍ବଲୀଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଭଲ ବୋଲି ବିବେଚନା କରାଯାଏ ନାହିଁ ।

କାମ୍ବଲୀ ଭାରତ ପାଇଁ ୧୦୪ଟି ଏକ ଦିବସୀୟ ଓ ୧୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ନିଜ ସମୟରେ ସେ ଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରୁ ଜଣେ ଥିଲେ । ତେବେ ନିଜର ଖରାପ ଅଭ୍ୟାସ ପାଇଁ ସେ ଭାରତୀୟ ଟିମରୁ ସ୍ଥାନ ହରାଇଥିଲେ । କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଭଲ ବନ୍ଧୁ ହେଉଛନ୍ତି ବିନୋଦ କାମ୍ବଲୀ । ମାତ୍ର କାମ୍ୱଲି ଆର୍ଥିକ ସଂଘର୍ଷ ସମୟରେ ମହାନ ବ୍ୟାଟର ସଚିନଙ୍କୁ ସମାଲୋଚନା କରିବା ପରେ ଉଭୟ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା ବୋଲି କୁହାଯାଏ । ତେବେ କାମ୍ବଲୀ ନିଜର ମିଛ ଅଭିଯୋଗ ପାଇଁ କ୍ଷମା ମାଗିବା ପରେ ବିବାଦର ଅନ୍ତ ହୋଇଥିଲା । କାମ୍ବଲୀଙ୍କ ଜୀବନ କୌଣସି ଫିଲ୍ମ ଠାରୁ କମ୍ ନୁହେଁ । ସୂଚନା ମୁତାବକ କ୍ରିକେଟ କ୍ୟାରିୟର ସହ ସେ ଫିଲ୍ମ ଦୁନିଆ ତଥା ରାଜନୀତିରେ ମଧ୍ୟ ନିଜ କ୍ୟାରିୟର ବଢାଇବାକୁ ଚେଷ୍ଟା କରିଥିଲେ । ହେଲେ ସେଥିରେ ସେ କିଛି ଖାସ୍ ନାଁ ବନାଇ ପାରି ନଥିଲେ  ।