ପୂର୍ବ ଶତ୍ରୁତା ଓ ପାର୍କିଂ ବିବାଦକୁ ନେଇ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର : ଗାଡି ପାର୍କିଂରୁ ରାଜଧାନୀରେ ଡବଲ ମର୍ଡର । ପୂର୍ବ ଶତ୍ରୁତା ଓ ପାର୍କିଂ ନେଇ ବିବାଦରୁ ରାଜଧାନୀରେ ଗଡ଼ିଲା ମୁଣ୍ଡ। ଭୁଜାଲି ଓ ଛୁରୀ ଭୂଶି ଦୁଇଜଣଙ୍କୁ ହତ୍ୟା କରାଯାଇଛି । ଘଟଣା ଘଟିଛି ଏୟାରଫିଲଡ଼ ଥାନା ଅନ୍ତର୍ଗତ କଣ୍ଟିଲୋ ଗାଁ ନିକଟସ୍ଥ କଲ୍ୟାଣ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟ ଗେଟ ନିକଟରେ। ମୃତକ ଦୁଇଜଣ ହେଉଛନ୍ତି ରଶ୍ମି ରଞ୍ଜନ ସେଠୀ ଓ ବବଲୁ। ରଶ୍ମିଙ୍କ ଘର କୁହା ଗାଁରେ ହୋଇଥିବା ବେଳେ ବବଲୁଙ୍କ ଘର କେନ୍ଦ୍ରାପଡା ବୋଲି ଜଣାପଡିଛି ।

ହତ୍ୟାକାରୀ ଦୁଇଜଣ ହେଲେ ଗଣେଶ ମଲ୍ଲିକ ଓ ପପୁ ମଲ୍ଲିକ ବୋଲି ପ୍ରାଥମିକ ସୂଚନା ରୁ ଜଣାପଡିଛି । ଖବର ପାଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ପେଶାଲ ସ୍କ୍ୱାଡ଼ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରିଛନ୍ତି। ସେପଟେ କିଛିଦିନ ତଳେ ଏକ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ଦୁଇ ଗୋଷ୍ଠୀ ଏୟାରଫିଲଡ଼ ଥାନା ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ଘଟଣାକୁ ହାଲକା ଭାବେ ନେଇଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ମୃତକଙ୍କ ପରିବାର ଲୋକେ ଥାନାରେ ପାଟିତୁଣ୍ଡ କରିଛନ୍ତି । ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଏୟାରଫିଲଡ଼ ଥାନାରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।