ବାଂଲାଦେଶ ହିଂସା,ହିନ୍ଦୁ କ୍ରିକେଟିୟରଙ୍କ ଘର ଜାଳିଦେଲେ ଆନ୍ଦୋଳନକାରୀ

1 min read

ଢାକା : ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ଘଟି ସାରିଛି । ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଶଛାଡ଼ି ପଳାୟନ କରିଛନ୍ତି ।ସେନା କ୍ଷମତା ହାତକୁ ନେଇ ସାରିଛି । କିନ୍ତୁ ହିଂସା ଥମିବାର ନାମ ନେଉ ନାହିଁ । ବାଂଲାଦେଶରୁ ଆସୁଥିବା ଖବର ଅନୁସାରେ ଏବେ ବିକ୍ଷୋଭକାରୀଙ୍କ ଟାର୍ଗେଟରେ କେବଳ ଆୱାମୀ ଲିଗର ନେତା ନାହାନ୍ତି । ସେମାନଙ୍କ ନିଶାନାରେ କ୍ରିକେଟର ଓ ହିନ୍ଦୁ ଧର୍ମୀୟ ସ୍ଥଳୀ ଥିବା ଦାବି କରାଯାଉଛି । ସୋସିଆଲ ମିଡିଆରେ ସେୟାର ହେଉଥିବା ଗୋଟିଏ ଭିଡିଓ ଏବେ ବାଂଲାଦେଶୀ ହିନ୍ଦୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ।
ସୋସିଆଲ ମିଡିଆରେ କରାଯାଉଥିବା ଦାବି ଅନୁସାରେ ବିକ୍ଷୋଭକାରୀ ବାଂଲଦେଶର କିଛି ନାମୀ କ୍ରିକେଟିୟରଙ୍କ ଘରକୁ ଟାର୍ଗେଟ୍ କରିଛନ୍ତି । ଯେଉଁଥିପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ମଧ୍ୟ ନିଜ କ୍ରୀଡ଼ାସୂଚୀରେ ପରିବର୍ତ୍ତନ ଆଣିବାକୁ ପଡ଼ିଛି ।
ଦଙ୍ଗାର ଶିକାର କ୍ରିକେଟ୍
ବାଂଲାଗେଶ କ୍ରିକେଟ୍ ବୋର୍ଡ୍ ଅଗଷ୍ଟ ୫ ତାରିଖ ଦିନ ଏକ ବୟାନ ଜାରି କରିଛି ଯେ,ବାଂଲାଦେଶ-ଏ ଟିମର ପାକିସ୍ତାନ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯିବ । ବାଂଲାଦେଶ-ଏ ଟିମ୍ ୬ ଅଗଷ୍ଟରେ ପାକିସ୍ତାନ ଯିବାରେ ଥିଲା । ଏହି ଗସ୍ତରେ ବାଂଲାଦେଶୀ ଟିମ୍ ପାକିସ୍ତାନୀ-ଏ ଟିମ୍ ବିପକ୍ଷରେ ୨ଟି ଟେଷ୍ଟ୍ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବାର ଥିଲା ।
ଲିଟନ ଦାସଙ୍କଙ୍କ ଘର ଜାଳିଲେ ବିକ୍ଷୋଭକାରୀ
ବାଂଲାଦେଶୀ କ୍ରିକେଟରଙ୍କ ଘରକୁ ବିକ୍ଷୋଭକାରୀ ଟାର୍ଗେଟ୍ କରୁଥିବା ଜଣା ପଡ଼ିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦୁଇଟି ଘର ଜଳୁଥିବାରେ ଦେଖାଯାଉଛି । ଏହା ମଧ୍ୟରୁ ଗୋଟିଏ ଘର ୱିକେଟ୍ କିପର ଲିଟନ ଦାସଙ୍କର ହୋଇଥିବା ବେଳେ ଅନ୍ୟଟି ପୂର୍ବତନ କ୍ରିକେଟିୟର ମଶାର୍ଫେ ମର୍ତଜାଙ୍କର ବୋଲି ଦାବି କରାଯାଉଛି । ତେବେ ଏନେଇ କୌଣସି ଆଧିକାରିକ ବୟାନ ଆସିନାହିଁ ।