ବାଂଲାଦେଶରେ ଅସ୍ଥିରତା ପ୍ରସଙ୍ଗ, ଭାରତ-ବାଂଲାଦେଶ ସୀମାରେ ହାଇଆଲର୍ଟ

ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶରେ ସ୍ଥିତି ହେବ କଣ ? ଶେଖ ହସିନାଙ୍କ ପରେ କିଏ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ଶେଖ ହସିନା ପୁଣି ସ୍ବଦେଶ ଫେରିବେ ନା ବିଦେଶରେ ରହିବେ ? ଏସବୁ ପ୍ରଶ୍ନ ଭିତରେ ପଡୋଶୀ ରାଷ୍ଟ୍ର ଭାରତର ବେଶୀ ଚିନ୍ତା। ତେଣେ ହସିନା ରାଜନୀତିକୁ ଆଉ ଫେରି ନପାରନ୍ତି ବୋଲି କହିଛନ୍ତି ପୁଅ ସଜୀବ ୱାଜେଦ ଜୟ। ଆଜି ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବେ ଏସ. ଜୟଶଙ୍କର। ବାଂଲାଦେଶରେ ଅସ୍ଥିରତା ପ୍ରସଙ୍ଗରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ନିରାପତ୍ତା ସଂକ୍ରାନ୍ତ କ୍ଯାବିନେଟ କମିଟି ବୈଠକରେ ସ୍ଥିତି ସମୀକ୍ଷା କରାଯାଇଥିଲା। ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ନେଇ ଦେଶଛାଡିଥିବା ହସିନା ଭାରତରେ ଆଶ୍ରୟ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପୂରା ପରିସ୍ଥିତି ଉପରେ ଅବଗତ କରାଇଥିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଏହାସହ ହାସିନାଙ୍କୁ ଭେଟିଥିଲେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ। ଜୟଶଙ୍କରଙ୍କୁ ଭେଟି ସ୍ଥିତି ସମୀକ୍ଷା କରିଥିଲେ ବିରୋଧି ଦଳ ନେତା ରାହୁଲ ଗାନ୍ଧି। ହିଣ୍ଡନ ଏୟାରବେସରେ ବି ଏୟାର କମାଣ୍ଡ ଚିଫ ଏୟାରମାର୍ଶାଲ ପିଏମ ସିହ୍ନାଙ୍କ ସହ ଆଲୋଚନା କରିଥିଲେ ହସିନା।ବାଂଲାଦେଶର ସ୍ଥିତି ନେଇ ସଜାଗ ଅଛନ୍ତି ଭାରତୀୟ ବାୟୁସେନା, ଭାରତୀୟ ସେନା ଓ ବିଏସଏଫ। ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ନିଜ ରାଜ୍ଯର ବାସିନ୍ଦାଙ୍କୁ ଆହ୍ବାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ। ବାଂଲାଦେଶ ସହ ପଶ୍ଚିମବଙ୍ଗର ୨ ହଜାର ୨୧୭ କିଲୋମିଟର ରହିଛି। ତେଣେ ବାଂଲାଦେଶ ସହ ୪୪୩ କିଲୋମିଟର ସୀମା ରହିଥିବା ମେଘାଳୟରେ ରାତ୍ରୀକାଳୀନ କର୍ଫ୍ଯୁ ଜାରି ହୋଇଛି।

ସେପଟେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶି ବ୍ଯାପକ ଭଙ୍ଗାରୁଜା କରିବା ସହ ଲୁଟପାଟ କରିଛନ୍ତି। ଏପରିକି କେତେକ ଆନ୍ଦୋଳନକାରୀ ଖଟ ଉପରେ ଶୋଇବା ସହ ଖାଇବା ବି ଦେଖାଯାଇଛି। ଆନ୍ଦୋଳନକାରୀମାନେ ଧାନମୋନ୍ଦିସ୍ଥିତ ଇନ୍ଦିରା ଗାନ୍ଧୀ କଲଚରାଲ ସେଣ୍ଟର ଓ ବଙ୍ଗବନ୍ଧୁ ମେମୋରିଆଲ ମ୍ଯୁଜିୟମକୁ ଭଙ୍ଗାରୁଜା କରିଛନ୍ତି। ଆଶ୍ରୟ ଦେବା ଲାଗି ବ୍ରିଟେନ ନିକଟରେ ହସିନା ଅନୁରୋଧ କରିଥିଲେ ବି ବ୍ରିଟେନ ପକ୍ଷରୁ ଗ୍ରୀନ ସିଗନାଲ ମିଳିନାହିଁ।…