ବିଧାନସଭାର ଷ୍ଟାଣ୍ଡିଂ କମିଟିରେ ବିଜେପିର ପୋଲ୍ ଖୋଲିଲା ବିଜେଡି

1 min read

ନନ୍ଦିଘୋଷ ବ୍ୟୁରୋ: ବିଭିନ୍ନ ଯୋଜନାରେ ସ୍ପଷ୍ଟତା ନ ଥିବା ଅଭିଯୋଗ କରି ରାଜ୍ଯ ସରକାରଙ୍କୁ ଘେରିଛି ବିଜେଡି। ବିଧାନସଭାର ଷ୍ଟାଣ୍ଡିଂ କମିଟିରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡିର ବିଧାୟକ। ଆୟୁଷ୍ମାନ ଭାରତ ନେଇ ଗୌତମ ବୁଦ୍ଧ ଦାସ ପ୍ରଶ୍ନ ଉଠାଇଥିବା ବେଳେ ପ୍ରମିଳା ମଲ୍ଲିକ କହିଛନ୍ତି ସୁଭଦ୍ରା ଯୋଜନା ଏକ ଭେଳିକି। ସୁଭଦ୍ରା ଯୋଜନା ନାଁରେ ଏଯାଏ କିଛି ସ୍ପଷ୍ଟତା ନାହିଁ। ଓଡ଼ିଶାବାସୀ ଏହାର ଜବାବ ଦେବେ ବୋଲି ଚେତାଇ ଦେଇଛି ବିଜେଡି।

ବିଧାନସଭାର ସ୍ବାସ୍ଥ୍ଯ ବିଭାଗ ସଂପର୍କିତ ଷ୍ଟାଣ୍ଡିଂ କମିଟିରେ ବିଜେଡି ଉଠାଇଛି ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଅଭିଯୋଗ କରିଛନ୍ତି, ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନାରେ ପୁରୁଷ ହିତାଧିକାରୀ ୫ ଲକ୍ଷ ଟଙ୍କା ଓ ମହିଳା ହିତାଧିକାରୀ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଉଥିଲେ। ଆୟୁଷ୍ମାନ ଯୋଜନାରେ ଏହା ନାହିଁ। ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା ଜାରି ରହିବ ବୋଲି ରାଜ୍ଯ ସରକାର କହିଛନ୍ତି। ସେପଟେ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ମଧ୍ଯରେ ରହୁଛି ଅନେକ ଦ୍ଵନ୍ଦ୍ଵ।

କେଉଁ ଯୋଜନାର ହିତାଧିକାରୀ କିଏ, କେଉଁ ଯୋଜନାରେ କଣ ସୁବିଧା ମିଳିବ, କେଉଁ ଯୋଜନାର କେତେ ହିତାଧିକାରୀ- ଏହାର ସ୍ପଷ୍ଟ ସୂଚନା ମିଳିପାରୁନଥିବା କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ। ସେହିପରି ସୁଭଦ୍ରା ଓ ଲକ୍ଷପତି ଦିଦି ଯୋଜନାକୁ ନେଇ ରାଜ୍ଯ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ। ମହିଳା ଓ ଶିଶୁ ବିକାଶ ଷ୍ଟାଣ୍ଡିଂ କମିଟି ବୈଠକରେ ଅସନ୍ତୋଷ ଝାଡ଼ି ପ୍ରମିଳା କହିଛନ୍ତି-ଭୋଟ ପାଇଁ ସୁଭଦ୍ରା ଯୋଜନା ଓ ଲକ୍ଷ ପତି ଦିଦି ଯୋଜନା ନିର୍ବାଚନୀ ଇସ୍ତାହାରରେ ରଖିଥିଲା ବିଜେପି। ମିଛ ଫର୍ମ ଜରିଆରେ ଲୋକଙ୍କ ତଥ୍ଯ ସଂଗ୍ରହ କରାଯାଇଥିଲା। ଜନ ସେବା କେନ୍ଦ୍ରରେ ଲୋକଙ୍କୁ ଖର୍ଚ୍ଚାନ୍ତ କରେଇଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟତା ନାହିଁ। ନବୀନ ସରକାରଙ୍କ ବହୁ ଲୋକାଭିମୁଖୀ ଯୋଜନାକୁ ବିଜେପି ସରକାର ବାଟବଣା କରିଥିବା ଅଭିଯୋଗ କରି ରାଜ୍ଯ ସରକାରଙ୍କୁ ଘେରିଛି ବିଜେଡି।

କଂଗ୍ରେସ ମଧ୍ଯ ପ୍ରଶ୍ନ କରିଛି-ଓଡ଼ିଆ ଅସ୍ମିତା କହି ବାହାବା ନେଉଥିବା ବିଜେପି ସରକାରର ଅସ୍ମିତା କୁଆଡ଼େ ଗଲା। ଓଡ଼ିଆଙ୍କୁ ଠକିଥିବା ବିଜେପି ଓଡ଼ିଆ ଅସ୍ମିତା ପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି। ରାମଚନ୍ଦ୍ର କାଡ଼ାମ  କହିଛନ୍ତି-ନିର୍ବାଚନ ବେଳେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ଭୋଟ ହାତେଇବା ପରେ ବିଜେପି ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଏହାର ଜବାବ ରଖିଛି ବିଜେପି।

ନିର୍ବାଚନ ପୂର୍ବରୁ ବିଜେପି ଅନେକ କଥା କହିଥିଲା। ଅନେକ ପ୍ରତିଶୃତି ଦେଇଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ସତେ ଯେମିତି ସେସବୁ ପ୍ରତିଶୃତିକୁ ଭୁଲି ଯାଇଛି। ଏହାକୁ ପ୍ରସଙ୍ଗ କରି ବିରୋଧୀମାନେ ବାରମ୍ବାର ବିଜେପିକୁ କାଠଗଡ଼ାକୁ ଟାଣୁଛନ୍ତି । ତେଣୁ ବ୍ଯାକଫୁଟକୁ ଚାଲି ଯାଇଛି ବିଜେପି। ରାଜ୍ଯ ସରକାର ଲୋକାଭିମୁଖୀ ଯୋଜନାଗୁଡ଼ିକରେ ସ୍ପଷ୍ଟତା ଆଣନ୍ତୁ ବୋଲି ବିଜେଡି ଦାବି କରିଛି।