ଝାରସୁଗୁଡା ଓ ରାଉରକେଲାକୁ ବିମାନ ସେବା ବୃଦ୍ଧି କରିବା ନେଇ ସଂସଦରେ ପ୍ରଶ୍ନ ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡା ଓ ରାଉରକେଲାକୁ ବିମାନ ସେବା ବୃଦ୍ଧି କରିବା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ରାଜ୍ୟରେ ପର୍ଯ୍ୟଟନ ଓ ଅର୍ଥନୀତିର ବିକାଶ ପାଇଁ ଅଧିକ ସଂଖ୍ୟାରେ ଏୟାରଲାଇନ୍ସକୁ ଆମନ୍ତ୍ରଣ କରିବା ନେଇ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ । ଏହାରର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମୁରଲୀଧର ମୋହଲ କହିଛନ୍ତି ଯେ, ଉଭୟ ରାଉରକେଲା ଓ ଝାରସୁଗୁଡାକୁ ଉଡାନ ଯୋଜନାରେ ସାମିଲ କରାଯାଇଥିଲା । ବର୍ତ୍ତମାନ ଝାରସୁଗୁଡା ବିମାନ ବନ୍ଦରରୁ ଦିଲ୍ଲୀ, କୋଲକାତା, ଭୁବନେଶ୍ବର ଓ ବେଙ୍ଗାଳୁରୁକୁ ବିମାନ ସେବା ଜାରି ରହିଛି । ଏହିସବୁ ସ୍ଥାନକୁ ସପ୍ତାହକୁ ୫୦ ଥର ବାଣିଜ୍ୟିକ ବିମାନ ଉଡାଣ କରୁଛି । ସେହିପରି ରାଉରକେଲାରୁ ଭୁବନେଶ୍ବର ଓ କୋଲକାତା ମଧ୍ୟରେ ଆଲିଆନ୍ସ ଏୟାରଲାଇନ୍ସର ବିମାନ ଚଳାଚଳ କରୁଛି । ଏହି ଦୁଇ ବିମାନ ବନ୍ଦର ସହ ଜୟପୁର ଓ ଉତକେଲା ବିମାନ ବନ୍ଦରକୁ ମଧ୍ୟ ଉଡାନ ଯୋଜନାରେ ସାମିଲ କରାଯାଇଛି । ପରବର୍ତ୍ତି ସମୟରେ ଅମର୍ଦା, ରାଇରଙ୍ଗପୁର ଓ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରକୁ ଉଡାନ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।