ଅନୁଗୁଳରୁ ଛେଣ୍ଡିପଦାକୁ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

1 min read

ନନ୍ଦିଘୋଷ ବ୍ୟୁରୋ: ଛେଣ୍ଡିପଦା ଓ ଦେବଗଡ଼ ଜିଲ୍ଲାର ଜୀବନରେଖା କୁହାଯାଉଥିବା ରାଜ୍ୟ ରାଜପଥ ଏବେ ବିପଦଶଂକୁଳ ଅବସ୍ଥାରେ l ଅନୁଗୁଳରୁ ଛେଣ୍ଡିପଦାକୁ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ପ୍ରତିଦିନ ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟତ କରୁଛନ୍ତି ।  ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏହାର ମରାମତି ପାଇଁ ଦାବି କରାଯାଇଛି।

ମରଣଯନ୍ତା ପାଲଟିଛି ଅନୁଗୁଳରୁ ଛେଣ୍ଡିପଦାକୁ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥ । ଆଣ୍ଠୁଏ ଆଣ୍ଠୁଏ  ଖାଲଖମାରେ ଭର୍ତ୍ତି ହୋଇଛି ରାସ୍ତା । ଛେଣ୍ଡିପଦାରୁ ଜରାସିଂହା ଗାଁ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ । ଏହି ରାସ୍ତା ଦେଇ ଛେଣ୍ଡିପଦା ବ୍ଲକ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାର ବହୁ ଲୋକ ଯିବା ଆସିବା କରୁଛନ୍ତି । ପ୍ରତିଦିନ ଅନେକ ଭାରିଯାନ ମଧ୍ଯ ଏହି ରାସ୍ତା ଦେଇ ଯାତାୟତ କରୁଛି । ବର୍ଷା ଯୋଗୁଁ ରାସ୍ତାରେ ଥିବା ଖାଲଖମାରେ ଜମି ରହୁଛି ପାଣି । ଏପରି ଖାଲରେ ପଡ଼ି ଅନେକ ସମୟରେ ଲୋକେ ଗୁରୁତର ଆହତ ହେଉଛନ୍ତି । ରାସ୍ତାର ଅବସ୍ଥା ଏମିତି ହୋଇଛି ଯେ, ୪୦ କିମି ଅତିକ୍ରମ କରିବାକୁ ଲାଗୁଛି ୩ ଘଣ୍ଟାରୁ ଅଧିକ ସମୟ। ଜରୁରୀ କାମରେ ଯାଉଥିବା ଲୋକେ ଠିକ୍ ସମୟରେ ପହଞ୍ଚି ପାରୁ ନାହାନ୍ତି।

ଏକରେ ରାସ୍ତା ଖରାପ। ଦୁଇରେ ରାସ୍ତାର ଉଭୟ ପଟେ ଠିଆ ହୋଇ ରହୁଛି ଭାରିଯାନ। ତେଣୁ ଆମ୍ବୁଲାନ୍ସ ଓ ମୋଟର ସାଇକେଲ ପାଇଁ ସୃଷ୍ଟି ହେଉଛି ସମସ୍ଯା। ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ୬୩ ନମ୍ବର ଜାତୀୟ ରାଜପଥର ମରାମତି ସହିତ ଏହି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ କରିବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି l ଏହି ରାସ୍ତାର ମରାମତି ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ। ନ ହେଲେ ଛେଣ୍ଡିପଦା ଅଞ୍ଚଳବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବାକୁ କଡ଼ା ଚେତାବନୀ ଦେଇଛନ୍ତି l