୮ ଘଣ୍ଟାର ପାହଡ଼ ଚଢି ୪ ଶିଶୁଙ୍କୁ ଉଦ୍ଧାର କଲେ କେରଳ ବନ ବିଭାଗ କର୍ମଚାରୀ

ୱାଇନାଡ: ଦୀର୍ଘ ଆଠ ଘଣ୍ଟାର ପରିଶ୍ରମ ପରେ ଚାରି ଶିଶୁଙ୍କୁ ଉଦ୍ଧାର କଲା ବନ ବିଭାଗ  । ଆଦିବାସୀ ସମ୍ପ୍ରଦାୟର ଏହି ୪ ଶିଶୁ କେରଳ ୱାଇନାଡ ଭୂସ୍ଖଳନରେ ନିଖୋଜ ଥିଲେ  । ସୁରକ୍ଷିତ ଉଦ୍ଧାର ପରେ ବନବିଭାଗକୁ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ  । ୱାଇନାଡ ଭୂସ୍ଖଳନରେ ୩୫୦ ଜଣ ପ୍ରାଣ ହରାଇଥିବା ବେଳେ ୧୦୦ରୁ ଅଧିକ ନିଖୋଜ ଅଛନ୍ତି  ।

ପ୍ରବଳ ବର୍ଷା ସତ୍ତ୍ବେ ଚିକ୍କଣ ପଥରରେ ଚଢି କଲପେଟା ରେଞ୍ଜ ଜଙ୍ଗଲରୁ ଏକ ଆଦିବାସୀ ପରିବାରକୁ ଉଦ୍ଧାର କରିଛି ବନ ବିଭାଗ  ।୪ ଶିଶୁଙ୍କ ବୟସ ଏକ ବର୍ଷରୁ ୪ ବର୍ଷ ମଧ୍ୟରେ ହେବ  ।  ଏହି ଅପରେସନରେ ସାମିଲ ହୋଇଥିଲେ ୪ ଜଣିଆ ଟିମ  ।

ୱାଇନାଡର ପନିଆ ସମ୍ପ୍ରଦାୟ ଭୂସ୍ଖଳନ ବେଳେ ପାହାଡ ଉପରେ ଥିବା ଏକ ଗୁମ୍ଫାରେ ଫସି ରହିଥିଲା  ।ଅଟ୍ଟାମାଳା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ଆସିଥିବା ପରିବାରର ମହିଳାଙ୍କୁ ସର୍ଚ୍ଚ ଅପରେସନ ବେଳେ ଠାବ କରିଥିଲେ ବନ ବିଭାଗ ଅଧିକାରୀ  । ଏହାପରେ ସେମାନେ ୫ ଦିନ ଖାଇ ନଥିବା ମହିଳା ଜଣଙ୍କ କହିଥିଲେ  । ମହିଳା ଜଣଙ୍କ ବନ ବିଭାଗ ଅଧିକାରୀଙ୍କୁ ପରିବାର ରହୁଥିବା ଗୁମ୍ଫା ନିକଟକୁ ନେଇଯାଇଥିଲେ  । ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସେମାନେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି  ।

ଏହି ସମ୍ପ୍ରଦାୟ ସାଧାରଣତଃ ଜଙ୍ଗଲ ଉପରେ ନିର୍ଭର କରୁଥିବାବେଳେ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି  । କିନ୍ତୁ ଲଗାତାର ଭୂସ୍ଖଳନ ଓ ଲଗାଣ ବର୍ଷା ଯୋଗୁଁ ସେମାନେ ଖାଦ୍ୟ ସଂଗ୍ରହ ନ କରି ପାରି ଭୋକ ଉପାସରେ ଗୁମ୍ଫାରେ ଆଶ୍ରୟ ନେଇଥିଲେ  ।