ଓ୍ବାଇନାଡ ବିପର୍ଯ୍ୟୟ: କେରଳରୁ ଭୁବନେଶ୍ବର ଆସୁଛି ବିଷ୍ଣୁପ୍ରସାଦଙ୍କ ମୃତଦେହ

ଭୁବନେଶ୍ବର: ୱାୟନାଡ଼ ଭୂସ୍ଖଳରେ ମୃତ୍ଯୁବରଣ କରିଥିବା ଡାକ୍ତର ବିଷ୍ଣଉପ୍ରସାଦ ଚିନାରାଙ୍କ ମୃତଦେହ ଆଜି ସକାଳ ୧୧ଟାରେ କେରଳରୁ ଭୁବନେଶ୍ବର ଅଭିମୁଖେ ବାହାରିଛି । କେରଳ ସରକାର ଏଥିପାଇଁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । ଏହି ଆମ୍ବୁଲାନ୍ସରେ ତିନି ଜଣ ଡ୍ରାଇଭର ଅଛନ୍ତି । ଆମ୍ବୁଲାନ୍ସ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କ ଘରକୁ ନିଆଯିବ ।

ସଡ଼କ ପଥରେ କେରଳରୁ ଭୁବନେଶ୍ବର ପହଞ୍ଚିବାକୁ ୩୪ ଘଣ୍ଟା ସମୟ ଲାଗିବ । ପରେ ପୁରୀରେ ଶେଷକୃତ୍ଯ ସମ୍ପନ୍ନ କରାଯିବ । ଏବାବଦ ସମସ୍ତ ଖର୍ଚ୍ଚ ରାଜ୍ଯ ସରକାର ବହନ କରୁଛନ୍ତି ବୋଲି ଓଡ଼ିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ କହିଛନ୍ତି । ରାଜ୍ଯ ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଓ ସ୍ବାସ୍ଥ୍ଯ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅର୍ଘ୍ୟ ପ୍ରଧାନ କେରଳ ଯାଇଛନ୍ତି । ଡାକ୍ତର ଚିନାରାଙ୍କ ପତ୍ନୀ ପ୍ରିୟଦର୍ଶନୀ ପାଲ ସୁସ୍ଥ ହୋଇସାରିଛନ୍ତି । ନିଜ ପରିବାର ସହ ଆସନ୍ତାକାଲି ଭୁବନେଶ୍ବର ଫେରିବେ ।

ତେବେ ଡାକ୍ତର ସ୍ବାଧୀନ ପଣ୍ଡାଙ୍କୁ ଏପର୍ଯ୍ଯନ୍ତ ଠାବ କରାଯାଇପାରିନାହିଁ । ତାଙ୍କ ପରିବାର ବି ଓ୍ବାୟନାଡ଼ରେ ଅଛନ୍ତି । ଡାକ୍ତର ସ୍ବୀକୃତି ମହାପାତ୍ର ଏବେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଭୂସ୍ଖଳନରେ ତାଙ୍କ ଫୁସଫୁସ ଭିତରକୁ ମାଟି ପଶିଯାଇଛି । ଡାକ୍ତରଙ୍କ ଉଦ୍ଯମ କ୍ରମେ କିଛି ମାଟି ସଫା କରାଯାଇଥିଲେ ମଧ୍ଯ ଏବେ ବି ଅଳ୍ପ କିଛି ମାଟି ରହିଯାଇଛି । ତାଙ୍କ ସ୍ବାସ୍ଥ୍ଯବସ୍ଥା ଏବେ ସ୍ଥିର ରହିଛି । ତାଙ୍କ ମାନସିକ ସାହସ ଦେବା ପାଇଁ ତାଙ୍କର ତିନି ଜଣ ସହପାଠୀ ତାଙ୍କ ସହ ରହିଛନ୍ତି । କେରଳର ଏକ ଉଚ୍ଚସ୍ତରୀୟ ଟିମ୍ ଭୂସ୍ଖଳନ କ୍ଷତିଗ୍ରସ୍ତଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ କରିଛନ୍ତି ।