‘ରାଜ୍ୟସଭାରେ ସଂଖ୍ୟା ବଢ଼ାଇବାକୁ ଗଣତନ୍ତ୍ରକୁ ଅପମାନିତ କରୁଛି ବିଜେପି’

1 min read

ଭୁବନେଶ୍ବର:  ଗଣତନ୍ତ୍ର ବ୍ୟବସ୍ଥାକୁ ଅପମାନ । ସାଧାରଣ ଜନତାଙ୍କ ପ୍ରତି ବିଶ୍ବାସଘାତ । ରାଜ୍ଯସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡି ଛାଡ଼ି ବିଜେପିରେ ମମତା ମହାନ୍ତ ସାମିଲ ହେବା ପରେ ଚାଲିଛି ଏହି ଚର୍ଚ୍ଚା । ରାଜ୍ଯସଭାରେ ନିଜର ସଂଖ୍ଯା ନ ଥିବାରୁ ଅନ୍ଯ ଦଳର ସାଂସଦଙ୍କୁ ଆଣି ନିଜ ଦଳରେ ମିଶାଉଛି ବିଜେପି । ପଦ୍ମ ଦଳର ଏହି ରଣନୀତିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ସେପଟେ ବିଜେଡି କହିଛି- ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ବିଶ୍ବାସ ରହିଛି । କେହି ଦଳ ଛାଡ଼ି ପଳାଇଲେ, କିଛି ଫରକ ପଡ଼ିବନି ।

ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି ବିଜେଡି ଓ ସାଂସଦ ପଦରୁ ଇସ୍ତଫା ଦେବା ପରେ ମମତା ବିଜେପିରେ ମିଶିବା । କଟୁ ସମାଲୋଚନା କଲେ କଂଗ୍ରେସ ନେତା ଶ୍ରୀକାନ୍ତ । କହିଲେ, ରାଜ୍ୟସଭାରେ ସଂଖ୍ୟା ନ ଥିବାରୁ ବିଜେପି ଅନ୍ୟ ଦଳର ନେତାଙ୍କ ଉପରେ ଭରଷା କରିଛି । ଯଦି ସତ ସାହସ ଅଛି ତେବେ ବିଜେଡ଼ି ଦ୍ବାରା ଦୁଇ ଥର ରାଜ୍ୟସଭାକୁ ଯାଇଥିବା ସାଂସଦଙ୍କୁ ଫେରାଇ ଦେଉ ବୋଲି ଚ୍ୟାଲେଞ୍ଜ କରିଛନ୍ତି ଶ୍ରୀକାନ୍ତ । ଏହାସହ ବଜେଟକୁ ନେଇ ମଧ୍ୟ ବିଜେପିକୁ କଟାକ୍ଷ କରିଛନ୍ତି ଶ୍ରୀକାନ୍ତ । କହିଛନ୍ତି,  କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅଣଦେଖା କରାଯାଇଛି । ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା କି ସ୍ବତନ୍ତ୍ର ପ୍ୟାକେଜ ଦିଆ ନଯିବାକୁ ନେଇ ଉଠାଇଲେ ପ୍ରଶ୍ନ ।

ବିଜେଡି ନେତା ଉମା ସାମନ୍ତରାୟ କହିଛନ୍ତି- ଯେଉଁମାନେ ରଙ୍ଗ ବଦଳାନ୍ତି, ସେମାନଙ୍କ ଚରିତ୍ର ସେପରି । ବିଜେଡି ଆଜି ବି ଶକ୍ତିଶାଳୀ ଅଛି । ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି ଲୋକଙ୍କ ବିଶ୍ୱାସ । କିଏ ଦଳ ଛାଡ଼ି ପଳାଇଲେ ବିଜେଡି ଉପରେ କିଛି ଫରକ ପଡ଼ିବନି । ଯାହାର ସ୍ଥିତି ଟଳମଳ, ସେମାନେ ପ୍ରଲୋଭିତ ହୋଇ ବିଜେପିକୁ ଯାଉଛନ୍ତି । ନିର୍ବାଚନରେ ହାରଜିତ ଲାଗି ରହିଥାଏ । ଲୋକ ଭୋଟ ଦେଇ ବିଜେପିକୁ କ୍ଷମତାସୀନ କରିଛନ୍ତି । ଏବେ ଅନୁଭବ କରି ସାରିଲେଣି, କେମିତି ଚାଲିଛି ସରକାର ।

ବିଧାନସଭାରେ ୫୧ ବିଧାୟକ ଓ ରାଜ୍ୟସଭାରେ ୮ ଜଣ ସାଂସଦଙ୍କ ସହ ବିଜେଡି ସଶକ୍ତ ବିରୋଧୀ ଦଳ ଭାବେ ଓଡ଼ିଶାବାସୀଙ୍କ ସ୍ବର ସାଜିଛି । ରାଜ୍ୟର ସ୍ବାର୍ଥକୁ ନେଇ ଲଢେଇ ଜାରି ରଖିଛି, ଆଗକୁ ବି ରହିବ । ମମତା ମହାନ୍ତଙ୍କ ବିଶ୍ବାସ ଘାତକତା ପରେ ମୟୂରଭଞ୍ଜର ନେତାମାନେ ଶଙ୍ଖଭବନରେ ଏକାଠି ହୋଇ ଏନେଇ ଆଲୋଚନା କରିଛନ୍ତି ।