ପଶ୍ଚିମବଙ୍ଗ ନୁହେଁ, ଏଣିକି ଉତ୍ତରପ୍ରଦେଶରୁ ଆଳୁ କିଣିବ ଓଡ଼ିଶା: ଯୋଗାଣମନ୍ତ୍ରୀ

ଭୁବନେଶ୍ବର: ଆଉ ପଶ୍ଚିମବଙ୍ଗ ନୁହେଁ, ଏଣିକି ଉତ୍ତରପ୍ରଦେଶରୁ ଆଳୁ ଆଣିବ ଓଡ଼ିଶା । ଆସନ୍ତାକାଲି ୨୦ ଟ୍ରକ ଆଳୁ ପାଇଁ ଅର୍ଡର ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ଯରେ ଆଳୁ ସଙ୍କଟ ନେଇ ଲୋକସେବା ଭବନରେ ଯୋଗାଣମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ବିଭାଗୀୟ ଅଧିକାରୀଙ୍କ ସମେତ ବ୍ୟବସାୟୀ ସଙ୍ଘ ସାମିଲ ଥିଲେ ।

ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଉତ୍ତରପ୍ରଦେଶରୁ ଆଳୁ ଆଣିବା ନେଇ ବ୍ଯବସାୟୀ ମହାସଂଘ ସହ ଆଲୋଚନା ହୋଇଛି । ଉତ୍ତରପ୍ରଦେଶରେ ଆଳୁ ଆଣିଲେ ଭଲ କ୍ବାଲିଟିର ଆଳୁ ଆସିବ କିନ୍ତୁ ପରିବହନ ଖର୍ଚ୍ଚ ଅଧିକ ରହିବ । ଧିରେ ଧିରେ ପଶ୍ଚିମବଙ୍ଗ ବଦଳରେ ଉତ୍ତରପ୍ରଦେଶରୁ ଓଡ଼ିଶା ଆଳୁ କିଣିବ । ପଶ୍ଚିମବଙ୍ଗରୁ ଆଳୁ ଆସିପାରୁ ନଥିବାରୁ ସମସ୍ଯା ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀଙ୍କ ସହ ଆଲୋଚନା ପରେ ବି ସୁଫଳ ମିଳିନାହିଁ । ସମସ୍ଯାର ସମାଧାନ ପାଇଁ ପ୍ରଶାସନ ଉଦ୍ଯମ କରୁଛି । ଉତ୍ତର ପ୍ରଦେଶରୁ ଆଳୁ ଆଣିବାକୁ ବ୍ୟବସାୟୀ ସଂଘ ସହମତି ପ୍ରକାଶ କରିଛନ୍ତି । ଏଣୁ ପରିବହନ ଖର୍ଚ୍ଚ ଅଧିକ ପଡ଼ିଲେ ମଧ୍ଯ ସେଠାରୁ ଆଳୁ ଆଣିବାକୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ କହିଛନ୍ତି ।

ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବି ପଶ୍ଚିମବଙ୍ଗରୁ ସ୍ବାଭାବିକ ଭାବେ ଆଳୁ ଆସୁନାହିଁ । ୟୁପିରୁ ଆଳୁ ଆସିଲେ ପରିବହନ ଖର୍ଚ୍ଚ ଅଧିକ ପଡିବ । ଏହାଛଡ଼ା ଅଧିକ ରାସ୍ତା ଆସିଲେ ଆଳୁ ବସ୍ତାରୁ ଅଧିକ ପଚା ଆଳୁ ବାହାରିବ । ଦୁଇ ତିନି ଦିନ ପର୍ଯ୍ୟନ୍ତ ଏବେ ୟୁପିରୁ ଆଳୁ ଆମଦାନୀ କରିଯିବ । ଆବଶ୍ୟକ ପଡିଲେ ଯୋଗାଣ ମନ୍ତ୍ରୀଙ୍କ ସହ ବ୍ୟବସାୟୀ ସଂଘର ଡେଲିଗେସନ ୟୁପି ଗସ୍ତ କରିବେ । ୟୁପିରୁ ଆଳୁ ଆସିଲେ ବି ଖୁଚୁରା ବଜାରରେ ୩୦ରୁ ୩୫ ଟଙ୍କାରେ ବିକ୍ରି ହେବ ।