‘ଲାଞ୍ଚୁଆ’ ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ଖୋଲୁଛି ଗୁମର !

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତିଙ୍କ ଖୋଲୁଛି ଗୁମୁର । ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ଠିକାଦାର। ସେ କହିଛନ୍ତି, ଲାଞ୍ଚ ନେବାରେ ମ୍ଯାଡମ ଧୁରନ୍ଧର ଥିଲେ। ଶ୍ରାବଣ ମାସ ସତ୍ତ୍ଵେ ଆଇଁଷ ଆଣିବାକୁ କହୁଥିଲେ।
ବାଳକାଟିରୁ ମଟନ, ପାରାଦୀପରୁ ଇଲିସି, ଦୟା ନଦୀରୁ ଛଟା ଚିଙ୍ଗୁଡ଼ି ଆଣିବାକୁ ଡିମାଣ୍ଡ କରୁଥିଲେ ମ୍ୟାଡମ୍। କଥା କଥାକେ ପିସି ମାଗୁଥିଲେ ବୋଲି କହିଛନ୍ତି ଠିକାଦାର।

ସୂଚନାଯୋଗ୍ୟ ଯେ, କନ୍ତିଆ ପଞ୍ଚାୟତ କିରଣ କୁମାର ପ୍ରଧାନଙ୍କ ବିଲ୍ ପାସ କରାଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ନିବେଦିତା । ୫୦ ହଜାର ଦେବା ପରେ ମଧ୍ୟ ବିଲ୍ ପାସ ନ କରି ବାକି ଟଙ୍କା ମାଗୁଥିଲେ। ଏହା ପରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଠିକାଦାର। ଗତକାଲି ୫୦ ହଜାର ଲାଞ୍ଚ ନେଉଥିବା ବେଳେ ନିବେଦିତା ମହାନ୍ତିଙ୍କୁ ଧରିଥିଲା ଭିଜିଲାନ୍ସ। ଟଙ୍କା ନେଉଥିବା ବେଳେ ଖଣ୍ଡଗିରିରେ ଥିବା ଘରେ ମାଡ଼ି ବସିଥିଲା ଭିଜିଲାନ୍ସ । ସମସ୍ତ ଲାଞ୍ଚ ଟଙ୍କା ତାଙ୍କଠାରୁ ଜବତ କରାଯାଇଥିଲା । ଏକକାଳୀନ ୨ ଟି ସ୍ଥାନରେ ରେଡ଼ କରାଯାଉଛି । ଭୁବନେଶ୍ୱର ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ କରୁଛି। ଏବେ ସାମ୍ନାକୁ ଆସିଛି ଠିକାଦାର ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତିଙ୍କ କଥାବାର୍ତ୍ତାର ଅଡିଓ ସାମ୍ନାକୁ ।