ଯଶଶ୍ରୀ ସିନ୍ଧେ ହତ୍ୟା ଘଟଣା : ହତ୍ୟାକାରୀକୁ ବାନ୍ଧିଲା ମୁମ୍ୱାଇ ପୋଲିସ

ମୁମ୍ୱାଇ : ଯଶଶ୍ରୀ ସିନ୍ଧେ ହତ୍ୟା ଘଟଣାରେ ମୁମ୍ୱାଇ ପୋଲିସକୁ ବଡ଼ ସଫଳତା । ହତ୍ୟାକରୀ ଦାଉଦ ଶେଖକୁ କର୍ଣ୍ଣାଟକର ଗୁଲବର୍ଗାରୁ ଧରିଲା ମୁମ୍ୱାଇ ପୋଲିସ । ସୂଚନା ଅନୁଯାୟୀ, ଯଶଶ୍ରୀ ହତ୍ୟା ଘଟଣାର ଅପରାଧୀକୁ ଧରିବା ପାଇଁ ୪ଟି ଟିମ୍ ପ୍ରସ୍ତୁତ କରିଥିଲା ପୋଲିସ । ଉରଣ ପୋଲିସର ୨ଟି ଟିମ୍ କର୍ଣ୍ଣାଟକରେ ଏବଂ ଆଉ ୨ଟି ଟିମ୍ ମହାରାଷ୍ଟ୍ରରେ ଅପରାଧୀକୁ ଖୋଜିବା ପାଇଁ ଯାଇଥିଲେ । ଏହା ଭିତରେ ଉରଣ ପୋଲିସ ମୋହସିନ ନାମକ ବ୍ୟକ୍ତିକୁ ହେପାଜତରେ ଆଣିଥିଲା । ପୋଲିସ ସୂତ୍ରାନୁଯାୟୀ, ମୋହସିନ ଏବଂ ଯଶଶ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, ଯାହାକୁ ନେଇ ଦାଉଦ ଶେଖ୍ ଏବଂ ଯଶଶ୍ରୀ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲା ।

ସୂଚନା ଅନୁଯାୟୀ,  ମୁମ୍ୱାଇର ୨୦ ବର୍ଷୀୟା ଯଶଶ୍ରୀ ସିନ୍ଧେଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଗୁରୁବାରରୁ ନିଖୋଜ ଥିବା ଯଶଶ୍ରୀଙ୍କ ମୃତଦେହ ଶୁକ୍ରବାର  କର୍ଣ୍ଣାଟକର ଏକ ପେଟ୍ରୋଲ ପମ୍ପ ନିକଟରୁ ଅତ୍ୟନ୍ତ ଖରାପ ଅବସ୍ଥାରେ ଜବତ କରାଯାଇଥିଲା । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଛୁରୀ ମରାଯାଇଥିବା ଜଣାପଡିଥିଲା । ଯାହା ପରେ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲା ମୁମ୍ୱାଇ ପୋଲିସ ।  ସିସିଟିଭିରେ କଏଦ ଭିଡିଓ ଆଧାରରେ ମଙ୍ଗଳବାର ହତ୍ୟାକାରୀ ଦାଉଦ ଶେଖକୁ ଗିରଫ କରିଛି ପୋଲିସ ।