ମାଆଙ୍କ ବିୟୋଗରେ ଭାଙ୍ଗି ପଡିଲେ ଫରାହ ଖାନ୍, ପରିବାର ସହ ପହଞ୍ଚିଲେ ଶାହରୁଖ ଖାନ

ମୁମ୍ୱାଇ: ବଲିଉଡରେ ଶୋକର ଛାୟା ଖେଳିଯାଇଛି । ୭୯ ବର୍ଷ ବୟସରେ ସମସ୍ତଙ୍କୁ ଛାଡି ଚିରନିଦ୍ରାରେ ଶୋଇଛନ୍ତି ମେନକା ଇରାନୀ । ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଓ କୋରିଓଗ୍ରାଫର ଫରାହ ଖାନଙ୍କ ମାଆଙ୍କ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ଫରାହଙ୍କ ମା’ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ନିକଟରେ ସେ ଚିକିତ୍ସିତ ହୋଇ ହସ୍ପିଟାଲରୁ ଘରକୁ ଫେରି ଆସିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି।

ଫରାହ ଜୁଲାଇ ୧୨ରେ ତାଙ୍କ ମାଆଙ୍କ ଜନ୍ମଦିନ ବଡ ଖୁସି ସହିତ ପାଳନ କରିଥିଲେ । ସୋସିଆଲ ମିଡିଆରେ ମାଆଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କୁ ଜାଣିଥିବା ‘ସାହସୀ’ ବ୍ୟକ୍ତି ବୋଲି କହିଥିଲେ । ମେନକାଙ୍କ ଜନ୍ମଦିନରେ ଫରାହ ତାଙ୍କ ପୋଷ୍ଟରେ ଲେଖିଥିଲେ, ମା’ ତତେ ମୁଁ ବହୁତ ଭଲ ପାଏ। କାମରୁ ଘରକୁ ଆସି ତତେ ଦେଖିଦେଲେ ସବୁକଷ୍ଟ ଭୁଲିଯାଏ। ମୋ ଜାଣିବାରେ ତୁ ହେଉଛି ମୋ ଜୀବନର ସବୁଠାରୁ ଶକ୍ତିଶାଳୀ ଓ ସାହାସୀ ମଣିଷଟିଏ। ତତେ ଦେଖିଲେ ମୋତେ ବହୁ ପ୍ରେରଣା ମିଳିଥାଏ। ତୁ ଖୁସିରେ ରହ। ଜନ୍ମଦିନର ଅନେକ ଅନେକ ଶୁଭକାମନା। ଜନ୍ମଦିନ ପାଳନ କରିବାର ଦୁଇ ସପ୍ତାହ ପରେ ମା’ଙ୍କ ମୃତ୍ୟୁ ହେବା ଘଟଣାକୁ ଫରାହ ଗ୍ରହଣ କରି ପାରୁନାହାନ୍ତି। ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ମେନକାଙ୍କ ହଠାତ ଦେହ ଅସୁସ୍ଥ ହେବା କାରଣରୁ ତାଙ୍କୁ ମୁମ୍ବାଇ ସ୍ଥିତ ଲୀଲାବତୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ଚିକିତ୍ସା ଚାଲିଥିବା ଅବସ୍ଥାରେ ଶନିବାର ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମା’ଙ୍କ ବିୟୋଗ ପରେ ଭାଙ୍ଗିପଡିଛନ୍ତି ଫରାହ ଖାନ । ଏହି ଖବର ଶୁଣିବାପରେ ଲଗାତାର ତାଙ୍କୁ ସାନ୍ତନ୍ୱା ଦେବାପାଇଁ ତାଙ୍କ ଘନିଷ୍ଠ ବନ୍ଧୁ ଘରକୁ ପହଞ୍ଚୁଛନ୍ତି । ଫରାହଙ୍କ ଘନିଷ୍ଠ ବନ୍ଧୁ ବଲିଉଡର କିଙ୍ଗ ଶାହରୁଖ ଖାନ ମଧ୍ୟ ତାଙ୍କ ପରିବାର ସହି ଫରାହଙ୍କ ଘରେ ପହଞ୍ଚିଥିଲେ । ଶାହରୁଖ ତାଙ୍କୁ ବୁଝାଇବା ସହ ଆଲିଙ୍ଗନ କରିଥିଲେ ।

ଏଦି ଦୁଃଖ ସମୟରେ ଶାହରୁଖ ଖାନଙ୍କ ବ୍ୟତୀତ ରାନୀ ମୁଖାର୍ଜୀ , ଶିଳ୍ପା ସେଠୀ , ଶିବ ଠାକରେ , ଭୂଷଣ କୁମାର ମଧ୍ୟ ଫରାହଙ୍କୁ ଭେଟି ଥିଲେ ।